ଟଙ୍କା ବଦଳାଇଦେଲେ ମିଳୁଛି ମଜୁରୀ
ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ନିମନ୍ତେ ଆଜି ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ହାତରେ ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ ଧରି ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଛାଉ ନାହାନ୍ତି ଲୋକ। କାରଣ ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଳେ ମିଳୁଛି ୩ ଶହ ଟଙ୍କା ମଜୁରି । ଟଙ୍କା ବଦଳ ପାଇଁ ଲମ୍ବା ଲାଇନ୍ରେ ଛିଡ଼ା ହୋଇଥିବା କିଛି ଲୋକ ଏପରି ସୂଚନା ଦେଇଛନ୍ତି । ତେବେ ଏହା ପଛରେ କିଏ ଅଛି, କିଏ ସେମାନଙ୍କ ହାତରେ ଟଙ୍କା ଧରାଇ ଦେଇ ଖରାରେ ଛିଡ଼ା କରାଉଛି ସେ ନେଇ ପାଟି ଫିଟାଉ ନାହାନ୍ତି।
ଏହି ଘଟଣାକୁ ନେଇଆରବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ୨ ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି । ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି । ଗତକାଲି ୨ହଜାର ଟଙ୍କିଆ ନୋଟ୍ ବଦଳ କରିବା ପାଇଁ ଲମ୍ବା ଲାଇନ୍ ଲାଗିଥିବା ବେଳେ ଆଜି ବି ସମାନ ଚିତ୍ର ଦେଖିବାକୁ ମିଳିଛି।
ତେଣୁ ଏବେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଟଙ୍କା ବଦଳାଇବା ଅପେକ୍ଷା ତାହାକୁ ଡିପୋଜିଟ କରିବାକୁ ଆରବିଆଇ ପକ୍ଷରୁ ଲୋକଙ୍କୁ ଉପଦେଶ ଦିଆଯାଇଛି।ଏଥିନିମନ୍ତେ ଆରବିଆଇ ବାହାରେ ଏକ ବକ୍ସ ରଖାଯାଇଛି। ତା’ ଭିତରେ ନିଜ ଡକ୍ୟୁମେଣ୍ଟ, ଆକାଉଣ୍ଟ ନମ୍ବର ସହ ଏକ ଲଫାପାରେ ଟଙ୍କା ବନ୍ଦ କରି ଉକ୍ତ ବାକ୍ସରେ ପକାଇବାକୁ ଲୋକଙ୍କୁ କୁହାଯାଉଛି। ଏହାପରେ ତାକୁ ବାକ୍ସ ଭିତରେ ରଖିଲେ ଆରବିଆଇ ଅଧିକାରୀ ଉକ୍ତ ଲଫପା ନେଇଯିବେ । ଉକ୍ତ ଟଙ୍କା ସମ୍ପୃକ୍ତ ଲୋକଙ୍କ ଆକାଉଣ୍ଟକୁ ଚାଲି ଯାଉଛି। ଏଥିନିମନ୍ତେ ସଚେତନତା ସୃଷ୍ଟି କରାଯିବା ନିମନ୍ତେ ଆରବିଆଇ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି।
ତେଣୁ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ନ ହୋଇ ଟଙ୍କା ଡିପୋଜିଟ କରିବାକୁ ଆରବିଆଇ ପକ୍ଷରୁ ଲୋକଙ୍କୁ କୁହାଯାଉଛି। ମାତ୍ର ଲୋକେ କାହା ଉପଦେଶ ଶୁଣିବା ପରିସ୍ଥିତିରେ ଥିବା ପରି ଲାଗୁ ନାହାନ୍ତି। ଟଙ୍କା ବଦଳ କରିଦେଲେ ନିଜର ପ୍ରାପ୍ୟ କିଛି ପାଇବାକୁ ସେମାନେ ଖରାରେ ଛିଡ଼ା ହେବାକୁ ପଛାଉ ନାହାନ୍ତି।