କ୍ଷମା ମାଗିଲେ ପିସିସି ସଭାପତି

Jun 7, 2024 - 11:54
 4346
କ୍ଷମା ମାଗିଲେ ପିସିସି ସଭାପତି

ଭୁବନେଶ୍ୱର: କ୍ଷମା ମାଗିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ସେ କ୍ଷମା ମାଗିନାହାନ୍ତି । ସମଗ୍ର ଓଡ଼ିଶାବାସୀଙ୍କୁ ସେ କ୍ଷମା ମାଗିଛନ୍ତି । ଚଳିତ ୨୦୨୪ ନିର୍ବାଚନରେ ଦଳର ପରାଜୟ ପାଇଁ ସେ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି
ପ୍ରକାଶ ଯେ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଗତକାଲି   ପ୍ରେସମିଟ କରିଛି । ଏହି ପ୍ରେସମିଟରେ ପ୍ରଭାରୀ ଅଜୟ କୁମାର, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁ ଭଟ୍ଟି, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ଭଳି ଅନେକ ଉପସ୍ଥିତ ଥିଲେ । କଂଗ୍ରେସର ପ୍ରଦର୍ଶନକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି," କଂଗ୍ରେସର ପ୍ରଦର୍ଶନ ପାଇଁ ଓଡିଶାବାସୀ, କଂଗ୍ରେସ କର୍ମୀ, କଂଗ୍ରେସ ପ୍ରେମୀ ଓ ସମର୍ଥକଙ୍କୁ ଧନ୍ୟବାଦ ଦେଉଛି । ବିଭିନ୍ନ ଅସୁବିଧା ସତ୍ତ୍ବେ ରାଜ୍ୟବାସୀ ୧୪ ଜଣ କଂଗ୍ରେସ ବିଧାୟକ ଓ ଜଣେ ସାଂସଦଙ୍କୁ ନିର୍ବାଚିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ସରକାର ଗଠନ ପାଇଁ ଚେଷ୍ଟା କରିଥିଲୁ, ହେଲେ ତାହା ସଫଳ ହେଲାନାହିଁ । ଯାହା କିଛି ବି ଭୁଲ ଭଟକା ହୋଇଛି ତାକୁ ମୁଁ ନୈତିକତା ଦୃଷ୍ଟିରୁ ସ୍ବୀକାର କରୁଛି ଓ ଓଡିଶାବାସୀଙ୍କ ପାଖରେ କ୍ଷମା ମାଗି ନେଉଛି । ପୂର୍ବରୁ କଂଗ୍ରେସ ଯେଉଁ ଯେଉଁ ପ୍ରସଙ୍ଗକୁ ନେଇ ଲଢେଇ ଜାରି ରଖିଥିଲା, ତାକୁ ଆଗାମୀ ଦିନରେ ବଜାୟ ରଖିବ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଓ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କର ଗସ୍ତ ଫଳରେ କଂଗ୍ରେସର ଶକ୍ତି ବୃଦ୍ଧି ହୋଇଛି । ଯେଉଁ ଯେଉଁ ଆସନରେ ପରାଜୟ ହୋଇଛି ତାକୁ ନେଇ ତର୍ଜମା କରାଯିବ ।"