ବବିଙ୍କ ରାଜନୀତି ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି
ଯାଜପୁର: ରାଜ୍ୟରେ ୨୪ ବର୍ଷର ସରକାରର ପତନ ହୋଇଛି । ବିଜେଡିର ଅନେକ ନେତାମନ୍ତ୍ରୀ ହେଭିୱେଟ ମାଟି କାମୁଡିଛନ୍ତି । ବିଜେଡିର ସେହି ପରାଜିତ ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କଠାରୁ ହାରି ଯାଇଛନ୍ତି ପ୍ରଣବ । ସେପଟେ ତାଙ୍କର ମାଆ ସନ୍ଧ୍ୟାରାଣୀ ଦାସ କୋରେଇରୁ ପରାସ୍ତ ହୋଇଛନ୍ତି । ଏମିତିକି ଭିଣୋଇ ତଥା ସିନେ ଅଭିନେତା ଅରିନ୍ଦମ ରାୟ, ଯିଏକି ବିଜେପି ଟିକଟରୁ ସାଲେପୁରରୁ ଛିଡା ହୋଇଥିଲେ ସେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ରାଜନୀତିରେ ଦବ୍ଦବା ରଖୁଥିବା ପ୍ରଣବଙ୍କ ପରିବାର ବିଭିନ୍ନ ଆସନରୁ ହାରିବା ପରେ ଏବେ ଏହି ରାଜନେତାଙ୍କ ରାଜନୀତି ଭବିଷ୍ୟତକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ।
ଏଥର ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ, ଭି.କେ ପଣ୍ଡିଆନଙ୍କ ପରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ଦଳର ନିଷ୍ପତ୍ତିକ୍ରମେ ସେ ଯାଜପୁର ଛାଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିଲେ । ସେଠି ନିକଟତମ ପ୍ରତିଦ୍ବନ୍ଦୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ପ୍ରଣବ କ୍ଷ ତେବେ ନିଜର ରାଜନୈତିକ କ୍ୟାରିୟକୁ ବଞ୍ଚେଇବାକୁ ଯାଇ ନିଜ ମାଆଙ୍କୁ କୋରେଇରୁ ଛିଡା କରିଥିଲେ ହେଁ ସେଠୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏହାପରଠୁ ପ୍ରଣବ ଓରଫ ବବିଙ୍କ ଆଗାମୀ ରାଜନୈତିକ ଭୂମିକାକୁ ନେଇ ସସପେନ୍ସ ଲାଗି ରହିଛି ।
ରାଜ୍ୟ ରାଜନୀତିରେ କ'ଣ ରହିବ ପ୍ରଣବଙ୍କ ଆଗାମୀ ଭୂମିକା ? ନିର୍ବାଚନ ହାରିବା ପରେ ବି ବିଜେଡି ଦଳର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ରଣବଙ୍କ ଦବ୍ଦବା ଅକ୍ଷୁର୍ଣ୍ଣ ରହିବ କି ? ଏଭଳି ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ଏକଦା ପ୍ରଣବ ପ୍ରକାଶ ଦାସଙ୍କ ବାପା ସ୍ବର୍ଗତ ଅଶୋକ ଦାସ କୋରେଇ ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ପାଞ୍ଚ ଥର ବିଧାୟକ ହେବା ସହିତ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିଲେ କ୍ଷ ୨୦୦୪ ମସିହାରେ ସ୍ବର୍ଗତ ଅଶୋକ ଦାସଙ୍କୁ ପୂର୍ବତନ ବିଜେପି ବିଧାୟିକା ସଞ୍ଚିତା ମହାନ୍ତି ହରାଇବା ପରେ ଦାସ ପରିବାର ରାଜନୀତିରୁ ଦୂରେଇ ଯିବେ କ୍ଷ ମାତ୍ର ତାଙ୍କର ପୁଅ ପ୍ରଣବ ପ୍ରକାଶ ଦାସ ବିଜେଡି ଦଳରେ ସାମିଲ ଲଗାତାର ୨୦୦୯, ୨୦୧୪ ଓ ୨୦୧୯ରେ ଯାଜପୁରରେ ନିର୍ବାଚିତ ହୋଇ ମନ୍ତ୍ରମଣ୍ଡଳରେ ରହିଥିଲେ । ତାଙ୍କର କାର୍ୟ୍ୟ ଦକ୍ଷତାକୁ ଦେଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଦେଇଥିଲେ କ୍ଷ ହେଲେ ୨୦୨୪ ନିର୍ବାଚନରେ ତାଙ୍କ ରାଜନୈତିକ କ୍ୟାରିୟର ଉପରେ କଳାବାଦଲ ମାଡିଆସିବ ବୋଲି କେହି ଭାବିନଥିଲେ କ୍ଷ ନିଜେ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ହାରିଥିବାବେଳେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ମଧ୍ୟ କୋରେଇରୁ ପରାସ୍ତ ହୋଇଛନ୍ତି । ତାଙ୍କର ଭିଣୋଇ ଅରିନ୍ଦମ ଦାସ, ଯିଏକି ସାଲେପୁରରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିଲେ ସେ ବି ପରାଜିତ ହୋଇଛନ୍ତି । ଏହି ନିର୍ବାଚନୀ ଫଳାଫଳ ପରେ ଏବେ ବବିଙ୍କ ରାଜନୀତି ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ।