ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

May 30, 2024 - 15:18
 5481
ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଖୁବ୍ ଦୁଃଖିତ । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ଭଉଁରି ଯାତରେ ବାଣ ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ମୁଖ୍ୟମନ୍ତ୍ରୀ ପୁରୀ ବାଣ ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ଘୋଷଣା କରିବା ସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ। ସେପଟେ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
 ଗତକାଲି ରାତିରେ ଘଟିଥିବା ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ଚିକିତ୍ସିତ ହେଉଛନ୍ତି।ଏହି ଅଘଟଣ ନେଇ ଗତକାଲି ରାତିରେ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ଆହତମାନଙ୍କୁ ଚିକିତ୍ସା ବ୍ୟବସ୍ଥା କରାଇବା ନେଇ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ପୂର୍ବାହ୍ନରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।