ଟନେଲ ଟ୍ରାଜେଡି: ଉଦ୍ଧାର କାର୍ୟ୍ୟରେ ସାମିଲ ହେଲା ବାୟୁସେନା
ଡେରାଡୁନ: ସପ୍ତାହେ ହେଲା ମାଟି ଅତଡା ତଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୪୦ ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ସିକୟାରା ସାଇଟରେ ଟନେଲ ଭୁଶୁଡିବା ଘଟଣା ୭ ଦିନରେ ପହଞ୍ଚିଥିବା ବେଳେ ଏ ଯାଏଁ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏନଡିଆରଏଫ, ଅଗ୍ନିଶମ, ଆଇଟିବିପି, ମେଡିକାଲ ଟିମ୍ ମିଳିତ ଭାବେ ଦିନ ରାତି ରେସ୍କ୍ୟୁ ଅପରେସନରେ ଲାଗି ପଡିଛନ୍ତି । ଏବେ ଏହି ଉଦ୍ଧାର କାର୍ୟ୍ୟରେ ବ୍ୟବହୃତ ଗୁରୁତ୍ବପୂର୍ଣ୍ଣ ଉପକରଣ ଗୁଡିକୁ ଇନ୍ଦୋରରୁ ଡେରାଡୁନ ଆଣିବା ପାଇଁ ନିୟୋଜିତ ହୋଇଛି ଭାରତୀୟ ବାୟୁସେନାର ସି-୧୭ ଏୟାରକ୍ରାପ୍ଟ । ଇନ୍ଦୋରରୁ ଡେରାଡୁନ୍ ପର୍ୟ୍ୟନ୍ତ ପ୍ରାୟ ୨୨ ଟନ ଓଜନର ଏକ ଯନ୍ତ୍ରପାତି ଆଣିବା ପାଇଁ ବାୟୁସେନାର ଏକ ସି-୧୭ ଏୟାରକ୍ରାଫ୍ଟ ନିୟୋଜିତ ହୋଇଛି । ତେବେ କିଛି ଉପରକରଣ ପାଇଁ ଅପରେସନରେ ବାଧା ସୃଷ୍ଟି ହେବାରୁ ବାୟୁସେନା ଉଦ୍ଧାର କାର୍ୟ୍ୟରେ ନିଜକୁ ସାମିଲ କରିଛି ।
ସେପଟେ ସମୟ ଯେତେ ବଢୁଛି ଭୟ ମଧ୍ୟ ସେତେ ବଢି ବଢି ଚାଲିଛି ଏବେସୁଦ୍ଧା ମାତ୍ର ୨୫ ମିଟର ପାଇପ ଭିତରକୁ ଯାଇପାରିଛି ରେସ୍କ୍ୟୁ ଟିମ୍ । ମାଟି ଅତଡା ଖସୁଥିବାରୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହେଉଛି । ଡ୍ରିଲିଂ ପାଇଁ ବ୍ୟବହାର କରାଯାଉଥିବା ଆମେରିକାର ଅଗର ମେସିନରେ ବି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଗତକାଲି(ଶୁକ୍ରବାର) ଡ୍ରିଲିଂ ବେଳେ ପଥର ଚଟାଣ ସହ ମାଡ ହେବା ପରେ ଅଗର ମେସିନରେ କାମ ବନ୍ଦ ରହିଛି । ପାଖାପାଖି ୬୦ମିଟର ଯାଏ ମାଟି ଖସିଥିବା ଅନୁମାନ କରାଯାଉଥିବା ବେଳେ ଏକ ଘଣ୍ଟାରେ ମାତ୍ର ୫ ମିଟର ଡ୍ରିଲିଂ କରିପାରୁଛି ଏହି ମେସିନ ।