୧୪ରେ ବିଜେଡି ଡାକିଲା ବୈଠକ,କାହିଁକି ଜାଣନ୍ତୁ
ଭୁବନେଶ୍ୱର: ଆସନ୍ତା ୨୬ତାରିଖରେ ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ବିଜେଡି ନିଜର ପଦାଧିକାରୀଙ୍କ ବୈଠକ ଡାକିଛି । ଆସନ୍ତା ୧୪ତାରିଖ ପୂର୍ବାହ୍ନ ୧୦ଟାରେ ଶଙ୍ଖ ଭବନଠାରେ ଦଳୀୟ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟସ୍ତରର ଦଳର ସମସ୍ତ ପଦାଧିକାରୀଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଏହି ବୈଠକରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ସାଂଗଠନିକ କାର୍ୟ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବିଜେଡିରେ ଗତ ୨୭ତାରିଖରେ ଯୋଗ ଦେବା ପରଠୁ ଶ୍ରୀ ପାଣ୍ଡିଆନ ଦଳର ସବୁ ପଦାଧିକାରୀଙ୍କୁ ଏକାଠି ଭେଟିବାର ସୁଯୋଗ ପାଇନାହାନ୍ତି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ମାସ ବାକି ଥିବାରୁ ଦୈନିକ ନବୀନ ନିବାସରେ ଦଳର ବିଧାୟକ,ସାଂସଦ, ପଦାଧିକାରୀ ଓ ବିଭିନ୍ନ ବର୍ଗର ଲୋକମାନଙ୍କୁ ନିୟମିତ ସାକ୍ଷାତ କରିବା ସମ୍ଭବପର ହେବନି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦଳ ନିଜର ସମସ୍ତ ପଦାଧିକାରୀଙ୍କ ବୈଠକ ଡାକିଛି ।
ଏହି ବୈଠକକୁ ଦଳର ସମସ୍ତ ବିଧାୟକ,ସାଂସଦଙ୍କ ସମେତ ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ୟ୍ୟବେକ୍ଷକ ଓ ଦଳର ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ରାଜ୍ୟ ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଶଙ୍ଖ ଭବନରେ ହେବାକୁ ଥିବା ଏହି ବୈଠକ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବୈଠକରେ ସ୍ୱଳ୍ପ ସମୟ ପାଇଁ ଯୋଗ ଦେବେ । ନବୀନଙ୍କ ନେତୃତ୍ୱରେ ପାଣ୍ଡିଆନଙ୍କ ଗୋଟିଚାଳନାରେ ବିଜେଡି ଆଗାମୀ ନିର୍ବାଚନ ବୈତରଣୀ କିଭଳି ପାର ହେବ, ସେ ନେଇ ଦଳୀୟ ନେତାମାନଙ୍କୁ ପାଣ୍ଡିଆନ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି ।