ବଜେଟ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ କଂଗ୍ରେସ ତୟାର
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ କଂଗ୍ରେସ ରଣନୀତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଏବଂ ମଣିପୁର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ କଂଗ୍ରେସ ପାର୍ଟି । ବୁଧବାର ବସିଥିବା ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପ ବୈଠକରେ ଏହି ଆଲୋଚନା ହୋଇଛି ।
ବୁଧବାର ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପର ବୈଠକ ବସିଥିଲା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହୋଇଥିଲେ । ବୈଠକ ଶେଷ ହେବା ପରେ କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ କହିଥିଲେ ଯେ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତିଙ୍କ ସମ୍ବୋଧନ ସେହି ବିଷୟ ଉପରେ ହୋଇଥାଏ ଯାହା ଭବିଷ୍ୟତରେ ସରକାର ପଦକ୍ଷେପ ଗ୍ରହଣ କରିବେ । ମୁଦ୍ରାସ୍ଫୀତି, ବେକାରୀ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ମଣିପୁର ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହେଲା ନାହିଁ । ଆମେ ଏହି ପ୍ରସଙ୍ଗ ସଂସଦରେ ଉଠାଇବୁ।
ଆଜି ପୂର୍ବାହ୍ନ ୧୧ଟା ସମୟରେ ସଂସଦରେ ଉପସ୍ଥାପନ ହେବ କାମଚଳା ବଜେଟ । ପୂରା ଦେଶର ନଜର ବଜେଟ ଉପରେ ରହିଛି । ବଜେଟ ଆଗତ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସେଠାରେ ବଜେଟ୍ ପ୍ରସ୍ତୁତକାରୀ ଟିମ୍ ସହ ଫଟୋ ସେସନରେ ସାମିଲ ହୋଇଥିଲେ । ପରେ ବଜେଟ୍ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏହାପରେ ସଂସଦରେ ପହଞ୍ଚିଛନ୍ତି ନିର୍ମଳା । ଏହାପୂର୍ବରୁ ସଂସଦରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ପରେ ତାଙ୍କ ନାଁରେ ନୂଆ ରେକର୍ଡ ଯୋଡି ହୋଇଯିବ । ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ ସୀତାରମଣ ।