କାଉଣ୍ଟରରେ ନୁହେଁ, ଅନଲାଇନରେ ମିଳିବ ହକି ଟିକେଟ
ଭୁବନେଶ୍ୱର: ଏଣିକି କାଉଣ୍ଟରରେ ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ ଟିକେଟ ବିକ୍ରି ହେବ ନାହିଁ । ଦିନେ ଦୁଇ ଦିନ ଭିତରେ ଅନଲାଇନରେ ଟିକେଟ ବିକ୍ରି ହେବ । ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ ଟିକେଟ ବିକ୍ରି ବିଭ୍ରାଟ ପରେ ଏହା କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ । ଅନଲାଇନରେ ଟିକେଟ ବିକ୍ରି ନେଇ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ପାଇଁ ଟିକେଟ ନମିଳିବାରୁ ଷ୍ଟାଡିୟମରେ ଭଙ୍ଗା ରୁଜା କରାଯାଇଥିଲା । ଆଜି ୯ ନଂ ଗେଟରେ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ପାଇଁ ଟିକେଟ ବିିକ୍ରି ହେବାର ଥିଲା । ହେଲେ ଟିକେଟ ବିକ୍ରି ନହେବାରୁ କିଛି ଉତ୍ତ୍ୟକ୍ତ ଆଶାୟୀ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିଲେ ।
ଆଜି ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି ହେବ ବୋଲି ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା କରିଥିଲେ । ୧୫ ତାରିଖରୁ ଟିକେଟ ମିଳିବ ବୋଲି କୁହାଯାଇଥିଲା । ଏନେଇ ଗତକାଲି ରାତିରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକଟ ଆଶାରେ ୯ ନଂ କାଉଣ୍ଟର ସମ୍ମୁଖରେ ଲାଇନ ଲଗାଇଥିଲେ । ହେଲେ ଟିକେଟ ବିକ୍ରି ହୋଇନଥିଲା । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବ୍ୟାରିକେଡ ଭଙ୍ଗାରୁଜା କରିଥିଲେ ।
ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା । ଉତ୍ତେଜନା ପରେ କାଉଣ୍ଟରରେ କର୍ତ୍ତୃପକ୍ଷଙ୍କ ବିନା ଦସ୍ତଖତରେ ଏକ ‘ନୋ ଟିକେଟ’ ନୋଟିସ ଲଗାଯାଇଥିଲା ।