ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ । ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ୟ୍ୟକ୍ରମ ହେବ । ଏହା ସହ ମିଶନ ଶକ୍ତି ଅଧିନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ ।
ତେବେ ପୂରା ଦେଶ ପାଇଁ ସମ୍ମଳନୀରେ ମିଲେଟ୍ ପଲିସି ରୋଡମ୍ୟାପ ପ୍ରସ୍ତୁତ ହେବ । ମାଣ୍ଡିଆ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ସହ ଘର ଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଏହି କାର୍ୟ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ । ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ । ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ ।