ବିରୋଧୀ ବିଧାନସଭାକୁ ଚଲେଇ ନ ଦେବା ଭଳି ସଂକଳ୍ପ ନେଇଛନ୍ତି:ପ୍ରଶାନ୍ତ ମୁଦୁଲି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ କଡ଼ା ପ୍ରତିକ୍ରିୟା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ବିଧାନସଭାକୁ ଚଲେଇ ନ ଦେବା ଭଳି ସଂକଳ୍ପ ନେଇଛନ୍ତି। ଗତକାଲି ଯେଉଁ ଘଟଣା ଘଟିଛି, ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ। ବାଚସ୍ପତିଙ୍କ ଆସନ ବ୍ୟକ୍ତିଗତ କାହାର ନୁହେଁ ତାହା ଏକ ସାମ୍ବିଧାନିକ ଆସନ। ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ କରି ଡାଲି ଫୋପାଡ଼ିବା ଏକ ହିଂସ୍ର ଆଚରଣ। ତାକୁ ବିଜେଡ଼ି ନିନ୍ଦା କରୁଛି। ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିବା ଦିନଠାରୁ ସଂଖ୍ୟା ଗରିଷ୍ଠତା ପାଇଛି। ଆମେ କେବେ ଅହଂକାର ଦେଖାଇ ନାହୁଁ। ଆମେ ଅହଂକାର ଦେଖାଇଥିଲେ ଲୋକେ ଆମକୁ ଭୋଟ ଦେଇ ନଥାନ୍ତେ। ମୁଖ୍ୟମନ୍ତ୍ରୀ ଧମକାଉଥିବାର ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା। ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତେ ଭଲ ଭାବେ ଅବଗତ। ଏଠି କେହି କାହାକୁ ଧମକେଇବାର କଥା ନାହିଁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ଏହି ଗୃହରେ ମୋର ଅଭିଜ୍ଞତାରୁ ନମ୍ରତାର ସହ ଏତିକି କହିପାରିବି ଯେ ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି। ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ। ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତାଶ ହୋଇ ବିକାଶମୂଳକ କାର୍ୟ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି। ଆମ ସରକାର ଓଡ଼ିଶାକୁ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ରେ ପରିଣତ କରିବାକୁ ଆଗକୁ ବଢ଼ିବ।