ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନଙ୍କ ମୃତ୍ୟୁ ଘଟଣା: ଏଡିଏମ, ଏସପି ଅଫିସ ଓ ଉଦିତନଗର ଥାନା ଘେରାଉ କଲେ ଆଦିବାସୀ

Oct 3, 2023 - 09:46
 6
ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନଙ୍କ ମୃତ୍ୟୁ ଘଟଣା: ଏଡିଏମ, ଏସପି ଅଫିସ ଓ ଉଦିତନଗର ଥାନା ଘେରାଉ କଲେ ଆଦିବାସୀ

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସ ଆଇ ଆଲିସ ନରିମା ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଏଡିଏମ, ଏସପି ଅଫିସ ସହ ଉଦିତନଗର ଥାନା ଘେରାଉ କରାଯାଇଛି। ଏଥିରେ ହଜାର ହଜାର ଆଦିବାସୀ ପ୍ଲାକାର୍ଡ ଧରି ରାଉରକେଲା ମହାନଗର ଅଫିସରୁ ବିରାଟ ରାଲିରେ ବାହାରିଥିଲେ। ଜର୍ଜ ସେନା, ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଓ ଅନ୍ୟ ଆଦିବାସୀ ସଂଘର ନେତାମାନେ ଏହାର ନେତୃତ୍ୱ ନେଇଥିଲେ। ଏଥିରେ ଜର୍ଜ ତୀର୍କୀ ଓ ଜିଲ୍ଲା ସରପଞ୍ଚ ସଂଘର ଉପ ସଭାପତି ଅଜିତ ତୀର୍କୀଙ୍କୁ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ବିତିଲାଣି; କିନ୍ତୁ ଏଯାଏ ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିନି। ସୁସ୍ମିତା ଆତ୍ମହତ୍ୟା କରିଥିବା ପୁଲିସ କହୁଥିବାବେଳେ ଏହାକୁ କିନ୍ତୁ ପରିବାରବର୍ଗ, ସମ୍ପର୍କୀୟ ଗ୍ରହଣ କରୁନାହାନ୍ତି। ସୁସ୍ମିତାଙ୍କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି ହେଉଛି। ଅପରପକ୍ଷରେ ଜଣେ ଅତିରିକ୍ତ ଏସ୍‌ପି ରୢାଙ୍କ୍‌ଧାରୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ମାନବାଧିକାରୀ ସୁରକ୍ଷା ସେଲ୍‌(ଏଚ୍‌ଆର୍‌ପିସି) ଡିଏସ୍‌ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଛି।

ଏଣେ ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉଦିତନଗର ବିରଜାପାଲିର ଅମିତ ପାତ୍ର (୪୦) ଓ ଗୌରୀରାଣି ବିଭାର (୨୫)। କାର୍‌ ଡ୍ରାଇଭର ଓ ଅନ୍ୟମାନେ ଫେରାର ଅଛନ୍ତି। ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ସେପଟେ ମୃତ ଏଏସ୍ଆଇ ଲୁଗୁନ୍‌ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ବାମୀ ସଞ୍ଜୟ କୁମାର ଲାକ୍ରା ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଜୟଙ୍କ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି।

ସେହି ଭଳି ଗତକାଲି ମାରପିଟ୍‌ ଘଟଣାରେ ‘ରାଜା ଗୋଲ୍‌ଡ’ ବସ୍‌ର ମାଲିକଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ଅନ୍ୟ ଏକ ମାମଲା ରୁଜୁ କରିଛି। ଉଭୟ ଘଟଣାରେ ଗିରଫ ଦୁଇ ଜଣଙ୍କ ସମ୍ପୃକ୍ତି ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।