ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆସଂକା ରହିଛି । ଟ୍ରେନ୍ ଭିତରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଆଉ ଏହାରି ଭିତରେ ସ୍ଥିତି ପରଖିବା ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଗଲେ ରାଜସ୍ୱ ମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲ ଯାଇ ଆହାତଙ୍କ ଭେଟିବେ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜସ୍ୱ ମନ୍ତ୍ରୀଙ୍କ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସଆରସି ଟିମ୍ ।
ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି। ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୨ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ଲୋକୋ ପାଇଲଟ ଏସ୍ଏମ୍ଏସ୍ ରାଓ ଓ ଗାର୍ଡ ଏମ. ଶ୍ରୀନିବାସଙ୍କ ମୃତ ଘଟିଥିବା ଜଣାପଡ଼ିଛି। ଏ ନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ମୋଟ୍ ୫୨ ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୯ ଜଣ ଡିସଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୨୩ ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ପୁରୁଷ ଓ ୧୧ ମହିଳା ରହିଛନ୍ତି। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ।