ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ପାଣ୍ଡିଆନ

Jan 6, 2024 - 08:07
 5
ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ପାଣ୍ଡିଆନ

ଭୁବନେଶ୍ୱର: ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-ଟି ତଥା ‘ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ବ୍ଲକ ଓ ଜିଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିିଢିଙ୍କୁ ଆକୃଷ୍ଟ କରିବାକୁ ପଡିବ । ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ସେ କହିଛନ୍ତି । ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି ନିମନ୍ତେ ସେ ସର୍ବଦା ଗୁରୁତ୍ୱାରୋପ କରୁଛନ୍ତି । ମିଶନ ଶକ୍ତି ଯେପରି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ଅନୁରୂପ ଢାଞ୍ଚାରେ କଳାକାର ସଂଘକୁ ସଶକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସଂଘକୁ ୫-ଟି ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହ ବ୍ଲକ ଏବଂ ଜିଲାସ୍ତରୀୟ ସଂଘ କାର୍ୟ୍ୟାଳୟ ଖୋଲାଯିବ।