ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ

Jan 28, 2024 - 12:42
 6
ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବ ଆକଳନ ମୁ୍ତାବକ ଆଜି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହା ମଧ୍ୟରେ ଏକ ବଡ ଖବର ଆସିଛି । ଗତଥର ଜେଡିୟୁ ଓ ବିଜେପି ମେଣ୍ଟ ସରକାରରେ ବିଜେପି ତରଫରୁ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ହେଲେ ଚଳିତ ସେଶନରେ ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବେ । ନୀତିଶ କୁମାର ଉପରେ ପ୍ରଭାବ ପକାଇବା ପାଇଁ ବିଜେପି ଏଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି ଅନୁମାନ କରାଯାଉଛି । ବିଜେପି ତରଫରୁ ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ । ହେଲେ ଏହା ଉପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ କେତେ ସନ୍ତୋଷ୍ଟ ତାହା ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ଯେ ଆଜି ସକାଳ ୧୦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ବିଧାୟକଙ୍କ ସହମତି ଲୋଡିଥିଲେ ନୀତିଶ । ବୈଠକରେ ପାଖାପାଖି ୨୦ ମିନିଟ ଧରି ଆଲୋଚନା ହେବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ ନୀତିଶ । ଏହାପରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରି ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଜଣାଇଥିଲେ । ରାଜ୍ୟପାଳ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ୭୨ ବର୍ଷୀୟ ରାଜନେତା ନୀତିଶ କୁମାର ଆଜି (ରବିବାର) ଅପରାହ୍ନ ୪ଟା ସମୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।