ପ୍ରାରମ୍ଭିକ ଟ୍ରେଣ୍ଡ: ରାଜସ୍ଥାନରେ ବିଜେପି ଆଗୁଆ

Dec 3, 2023 - 06:08
 6
ପ୍ରାରମ୍ଭିକ ଟ୍ରେଣ୍ଡ: ରାଜସ୍ଥାନରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ରାଜସ୍ଥାନରେ ଏବେ ଆସୁଛି ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ । ଟ୍ରେଣ୍ଡ ଅନୁସାରେ ବିଜେପି ଏଠି କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଶାସକ କଂଗ୍ରେସ ପଛରେ ପଡିଯାଇଛି । ଦିନ ସାଢେ ୧୦ଟା ସୁଦ୍ଧା ରାଜସ୍ଥାନରେ ବିଜେପି ୧୨୦ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୬୬ ଆସନରେ ଆଗୁଆ ରହିଛି ।

ରାଜସ୍ଥାନ ରାଜନୀତିରେ କଂଗ୍ରେସକୁ ଭାରିପଡିବାକୁ ଯାଉଛି ଗୋଷ୍ଠୀ କନ୍ଦଳ । କ୍ଷମତା ଅକ୍ତିଆର କରିବାକୁ ନେଇ ଅଧିକାଂଶ ସମୟରେ ରାଜସ୍ଥାନରୁ କଂଗ୍ରେସ ନେତାଙ୍କ ଗୋଷ୍ଠୀ କନ୍ଦଳର ଖବର ସାମ୍ନାକୁ ଆସେ । ଏହି ଗୋଷ୍ଠୀ କନ୍ଦଳର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥିବାବେଳେ, ଅନ୍ୟପଟେ ରହିଥିଲେ ସଚିନ ପାଇଲଟ । ତେବେ ରାଜସ୍ଥାନର ଏହି ଦୁଇ ବଡ ନେତାଙ୍କ ଭିତରେ ଥିବା ଶୀତଳ ଯୁଦ୍ଧର ପରିଣାମ ଦଳ ଉପରେ ପଡିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏଥର ନିର୍ବାଚନରେ ମୋଦୀ ବନାମ ଗେହଲଟ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଭାରି ପଡିଥିବା କୁହାଯାଉଛି । ଗେହଲଟଙ୍କ ଲୋକପ୍ରିୟତାକୁ ପଛରେ ପକାଇ ରାଜସ୍ଥାନରେ ଏଥର ମୋଦୀ ମ୍ୟାଜିକ୍ କମାଲ କରିଥିବା ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି । ତେବେ ଏଥର ରାଜସ୍ଥାନରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଥିଲେ ପିଏମ୍ ମୋଦୀ । ଯାହାର ଫଳସ୍ୱରୂପ ରାଜସ୍ଥାନରେ ପୁଣିଥରେ ପଦ୍ମ ଫୁଟିବାକୁ ଯାଉଛି ବୋଲି କୁହାଯାଉଛି ।