ଆଜି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ୟ୍ୟବରଣ

Jan 12, 2024 - 12:07
 4
ଆଜି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ୟ୍ୟବରଣ

ଭୁବନେଶ୍ୱର: ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ୟ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର ଧାର୍ୟ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି । ୬ ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ । ଆଜି ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ୟ୍ୟ ବରଣ କରିବେ ।

ନିଷ୍ପତ୍ତିି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ । ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃ ପ୍ରଦକ୍ଷିଣ କରିବେ ।

ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ୟ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦୀ ପ୍ରସ୍ତୁତି ଶେଷ ହୋଇଛି । ବେଦପାଠ ପାଇଁ ଚାରିଦ୍ୱାରେ ବେଦମଣ୍ଡପ ତିଆରି ହୋଇଛି ।