ନଭେମ୍ବର ୧୯ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଭୁବନେଶ୍ବର : ଆଗାମୀ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩ ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଷୟବସ୍ତୁ ରହିଛି ” ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ୍ ବାଇ ଟ୍ରେଡ୍ ” । ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ।
ଓଡିଶାର ବାଣିଜ୍ୟିକ ପରମ୍ପରା ବହୁ ପ୍ରାଚୀନ । ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ , ହସ୍ତଶିଳ୍ପ , ବିଭିନ୍ନ କାରୁକାର୍ୟ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ବବାସୀଙ୍କ ପାଇଁ ଆକର୍ଷଣ ରହିଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି , ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ , ଅଦା ଓ ହଳଦୀ , କୋରାପୁଟ କଫି , ପର୍ୟ୍ୟଟନ , କ୍ରୀଡ଼ା , ଶିଳ୍ପାୟନ ଆଦିକୁ ଓଡିଶା ପ୍ୟାଭିଲିୟନ ମାଧ୍ୟମରେ ବିଶ୍ବବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ କରିବାକୁ ଉନ୍ନୟନ କମିଶନର ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ସଚିବ ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ ।