ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ଵର : ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ନିକଟ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହେବ। ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଠାରୁ ରାଜ୍ୟରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୬ ଜିଲ୍ଲାରେ ଅଧିକ ବର୍ଷା ହେବ । ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ବୁଧବାର ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଜଗତ୍ସିଂହପୁର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଗୁରୁବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର, ଜଗତସିଂହପୁର, କଟକ, ଅନୁଗୁଳ ଓ ପୁରୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବୌଦ୍ଧ, ସୁନ୍ଦରଗଡ଼, ଗଞ୍ଜାମ, ଦେବଗଡ଼, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।