ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆଜି ସକାଳେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜା କରିଛନ୍ତି। ଏହାସହ ରାଜ୍ୟପାଳ ଲିଙ୍ଗରାଜଙ୍କ ସମେତ ଗଣେଶ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର ଓ ନନ୍ଦୀଙ୍କ ଦର୍ଶନ କରିଛନ୍ତି।
ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନୂଆ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଲିଙ୍ଗରାଜଙ୍କ ପାଖରେ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲି। ଏହାସହ ଦେଶ ଓ ରାଜ୍ୟର ସୁଖ, ସମୃଦ୍ଧି ନେଇ ପ୍ରାର୍ଥନା କଲି। ଆଜି ଦିନ ୧୧ଟା ୪୫ରେ ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ।