ନିମୋନିଆ ଡର : ସତର୍କ କଲା କେନ୍ଦ୍ର
ନୂଆଦିଲ୍ଲୀ: କରୋନା ପରେ ଏବେ ଚୀନରେ ନିମୋନିଆ ଭୟ। କରୋନା ଭଳି ନିମୋନିଆ ଯେପରି ମାରାତ୍ମକ ନହେବ ସେଥିପ୍ରତି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଭୟଭୀତ ନହେବା ସହିତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ଓ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବାକୁ କହିଛନ୍ତି।
ନିମୋନିଆ ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି। ସବୁ ଚିକିତ୍ସାଳୟରେ ମାନବସମ୍ବଳ, ଭିତ୍ତିଭୂମି, ଶଯ୍ୟା, ଭେଣ୍ଟିଲେଟର, ପରୀକ୍ଷା କିଟ ଓ ଔଷଧ ସମ୍ବନ୍ଧିତ ଉପରେ ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ। ଚୀନରେ ଏଭଳି ସ୍ଥିତି ଉପୁଜିଥିବାବେଳେ କେନ୍ଦ୍ର ସରକାର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ରାଜ୍ୟଗୁଡିକ ମଧ୍ୟ ଭୟଭୀତ ନହୋଇ ଏ ବାବଦରେ ଆବଶ୍ୟକ ସମୀକ୍ଷା କରନ୍ତୁ। ଚୀନ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଆମକୁ ସତର୍କ ରହିବାକୁ ପଡିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।