୧୧ ବର୍ଷ ଧରି ଶୋଇ ନାହାନ୍ତି ମହିଳା

Sep 22, 2023 - 08:22
 10
୧୧ ବର୍ଷ ଧରି ଶୋଇ ନାହାନ୍ତି ମହିଳା

ଭିଏତ୍‌ନାମ : ଭିଏତ୍‌ନାମର ଜଣେ ୩୬ ବର୍ଷୀୟା ମହିଳା ନିଦ୍ରାହୀନତା ରୋଗରେ ପୀଡ଼ିତ ହୋଇ ଦୀର୍ଘ ୧୧ ବର୍ଷ ହେଲା ଆଦୌ ଶୋଇନାହାନ୍ତି ବୋଲି ଦାବି କରିଛନ୍ତି। ଭିଏତ୍‌ନାମ୍‌ର କ୍ବାଙ୍ଗ୍‌ ଙ୍ଗାଇ ସହରରେ ଜଣେ ନର୍ସରି ସ୍କୁଲ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ତ୍ରାନ୍‌ ଥି ଲ୍ୟୁ ନାମ୍ନୀ ମହିଳାଙ୍କର ନିଦ୍ରାହୀନ ଅନୁଭୂତି ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ।

ତାଙ୍କର ଏହି ବିଲକ୍ଷଣ ଥରେ ଏକ କାନ୍ଦିବା ଘଟଣାରୁ ଆରମ୍ଭ ହୋଇଥିଲା। ପରେ କୌଣସି କାରଣ ନଥାଇ ମଧ୍ୟ ତାଙ୍କ ଆଖିରୁ ଲୁହ ଝରିବା ଲାଗିରହିଥିଲା। ଯେତେ ଚେଷ୍ଟା କଲେ ବି ସେ ତାହା ଅଟକାଇ ପାରିନଥିଲେ। ତେଣୁ ତାହା ତାଙ୍କ ଶୋଇବାରେ ବାଧା ସୃଷ୍ଟି କରିଥିଲା। ପରେ ଲୁହ ଝରିବା ବନ୍ଦ ହୋଇଯାଇଥିଲା, କିନ୍ତୁ ତାଙ୍କର ଶୋଇବା ପ୍ରବୃତ୍ତି ଫେରିନଥିଲା।

ସ୍ଥାନୀୟ ମାନସିକ ଚିକିତ୍ସାଳୟରେ ପରୀକ୍ଷାନିରୀକ୍ଷା ପରେ ତ୍ରାନ୍‌ ଲ୍ୟୁ ଭୀଷଣ ଭାବରେ ନିଦ୍ରାହୀନତାରେ ଆକ୍ରାନ୍ତ ବୋଲି ବିଶେଷଜ୍ଞ ଡାକ୍ତରମାନେ ଜାଣିପାରିବା ସହ ଆବଶ୍ୟକ ଔଷଧ ଖାଇବାକୁ ପରାମର୍ଶ କରିଥିଲେ। ମାତ୍ର ଔଷଧ ଖାଇ ଅନ୍ୟାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାରୁ ସେ କିଛି ମାସ ପରେ ଔଷଧ ବନ୍ଦ କରିଦେଇଥିଲେ।

ଘରେ ସ୍ବାମୀ ଓ ପିଲାମାନେ ରାତିରେ ଶୋଇଲା ବେଳେ ସେ କିଛି ସମୟ ପାଇଁ ଆଖିବୁଜି ଶୋଇବାର ଅଭିନୟ କରନ୍ତି, ବୋଲି ତ୍ରାନ୍‌ ଲ୍ୟୁ କହିଛନ୍ତି। ତାଙ୍କର ଆଖିର ତଳ ପାଖ କଳାଦାଗରେ ଭରି ଯାଇଛି। ନିଦ୍ରାହୀନତା ଯୋଗୁଁ ସେ ଅସ୍ଥି ଓ ପେଟରେ ଭୀଷଣ ବ୍ୟଥା ଭୋଗୁଛନ୍ତି।