ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୪ ଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଜିଲ୍ଲାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ। ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ମହାମହିମଙ୍କ କାର୍ୟ୍ୟକ୍ରମ ରହିଛି ।
ରାଞ୍ଚି ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସାରି ରାଇରଙ୍ଗପୁରରେ ଆଜି ପହଞ୍ଚିବେ। ଦିନ ସାଢେ ଗୋଟାଏରୁ ୨ଟା ମଧ୍ୟରେ ମୟୂରଭଞ୍ଜ ଶୁକ୍ରୁଳି ସ୍ଥିତ ଖିଚିଂ ମନ୍ଦିରରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ଦିଅଁ ଦର୍ଶନ ସହ ପ୍ରସାଦ ସେବନ କରିବେ ରାଷ୍ଟ୍ରପତି । ଏହା ପରେ ୪.୪୫ରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଇରଙ୍ଗପୁର ଘର କିମ୍ବା ଅତିଥି ଭବନରେ ରାତ୍ରୀ ଯାପନ କରିବେ। ଗୁରୁବାର ରାଷ୍ଟ୍ରପତି କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହାପରେ ସେ ‘କେନ୍ଦୁଝରର ଜନଜାତି ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦ୍ ଘାଟନ କରିବା ସହ ଧରଣୀଧର ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ, ଗମ୍ଭରିଆ, କେନ୍ଦୁଝର ଠାରେ ଧରଣୀଧର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ।
ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ୧ ତାରିଖରେ ଭଞ୍ଜବିହାରସ୍ଥିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ କଟକରେ ବ୍ରହ୍ମକୁମାରୀ, ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ୨ ତାରିଖରେ ସମ୍ବଲପୁର ଜିଲ୍ଲାରେ ସନ୍ଥକବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ସମ୍ବଲପୁର ମିନି ଷ୍ଟାଡିୟମରେ ମହିମା ସଂପ୍ରଦାୟର ଅନୁଗାମୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି।