ଟି-୨୦ ବିଶ୍ୱକପ, ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଭାରତ
ନ୍ୟୁୟର୍କ: ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି।
ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୯୭ ରନର ଲକ୍ଷ୍ୟ ଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୨.୨ ଓଭରରେ ମାତ୍ର ୨ଟି ୱିକେଟ୍ରେ ବିଜୟ ଲକ୍ଷ୍ୟ ୯୭ ରନ୍ କରିଛି। ଏହି ମ୍ୟାଚରେ ରୋହିତ ଶର୍ମା ୩୭ଟି ବଲ୍ ଖେଲି ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଂଟର ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରମାନେ କମାଲ କରି ଆୟର୍ଲ୍ୟାଣ୍ଡକୁ କେବଳ ୧୬ ଓଭରରେ ୯୬ ରନରେ ଅଲଆଉଟ କରି ଦେଇଥିଲେ। ୯୭ ରନର ଟାର୍ଗେଟକୁ ଟିମ ଇଣ୍ଡିଆ, ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୫୨ ରନ ବଳରେ ଅତି ସହଜରେ ହାସଲ କରି ନେଇଛି।
ବୁଧବାର ମ୍ୟାଚରେ ଯୁବ ବ୍ୟାଟର ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ଅପରାଜିତ ୩୬ ରନ୍ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ବିରାଟ କୋହଲି ୧ ରନ୍ ଓ ସୂର୍ୟ୍ୟକୁମାର ଯାଦବ ୨ ରନ୍ ସଂଗ୍ରହ କରି ପାଭିଲିଅନ୍ ଫେରିଯାଇଥିଲେ।
ନ୍ୟୁୟର୍କସ୍ଥିତ ନସାଉ କାଉଂଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ଆୟର୍ଲାଣ୍ଡର ବ୍ୟାଟ୍ସମାନଙ୍କୁ ଚାପରେ ରଖିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଆସନ୍ତା ୯ତାରିଖ ଭାରତ ତାର ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ନୁୟର୍କ ପଡ଼ିଆରେ ଭେଟିବ। ଚଳିତ ବିଶ୍ୱକପ୍ରେ ନୂଆ ଓପନିଂ କମ୍ବିନେସବ ସହ ମୈଦାନରେ ଦମ ଦେଖାଉଛି ଟିମ୍ ଇଣ୍ଡିଆ।