ନିର୍ବାଚନ ପ୍ରସ୍ତୁତି: ବୁଥ ଉପରେ ନଜର ରଖିବ ଡ୍ରୋନ
ଭୁବନେଶ୍ୱର: ବୁଥ ଉପରେ ନଜର ରଖିବ ଡ୍ରୋନ । ୭୦ ପ୍ରତିଶତ ବୁଥରେ ଲାଗିବ ସିସିଟିଭି କ୍ୟାମେରା । ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନିର୍ବାଚନ ସୁପରିଚାଳନା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ପୋଲିସ ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବା ସହ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ଏହି ବୈଠକରେ ରାଜ୍ୟର ସମସ୍ତ ଏସପି, ଏଡିଜି, ଜିଡି ଓ ପୋଲିସ କମିଶନର ଯୋଗ ଦେଇଥିଲେ । ତେବେ କିଭଳି ଶାନ୍ତିଶୃଙ୍ଖଳା ଓ ସୁରୁଖୁରରେ ନିର୍ବାଚନ ହେବ ସେନେଇ ଏହି ବୈଠକରେ ଆଲୋଚନା ହେବା ସହ ବରିଷ୍ଠ ଅଧିକାରୀମାନଙ୍କୁ ଏ ବାବଦରେ ତାଲିମ ଦିଆଯାଇଥିଲା ।
ବିଶେଷ କରି ନିର୍ବାଚନକୁ କିଭଳି ଶାନ୍ତିଶୃଙ୍ଖଳା, ସ୍ଵଚ୍ଛତା ସହ ସମାପ୍ତ କରିହେବ ସେ ଦିଗରେ ଗୁରୁତ୍ଵାରୋପ କରାଯାଇଥିଲା । ନିର୍ବାଚନ ସମୟରେ ଟଙ୍କା କାରବାର, ନିଶା ବା ଚୋରା ମଦ କାରବାର ଉପରେ କିଭଳି ରୋକ ଲାଗିବ ସେନେଇ ଇଣ୍ଟେଲିଜେନସ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଥିଲା । ବୁଥ କ୍ୟାପ୍ଚରିଙ୍ଗ, ବୁଥ ରିଗିଂ ଓ ବୋଗସ ଭୋଟିଂ ବା ପୁଲିଂ ଏଜେଣ୍ଟଙ୍କ ଉପରେ ଆକ୍ରମଣ ଆଦି ଦିଗକୁ ନଜର ରଖି ସୁରକ୍ଷା ଉପରେ ଅଧିକ ଫୋକସ ଦିଆଯାଇଛି । ଏନେଇ ୬୦ରୁ ୭୦ ପ୍ରତିଶତ ବୁଥରେ ସିସିଟିଭି ଲଗାଇ ତାକୁ ମନିଟର କରିବାକୁ ଯୋଜନା କରାଯାଇଛି । ସେହିଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବା ସମ୍ବେଦନଶୀଳ ବୁଥଗୁଡିକରେ ହେଉଥିବା ଭୋଟିଂ ପ୍ରକ୍ରିୟା ଓ ଆଇନଶୃଙ୍ଖଳା ଉପରେ ନଜର ରଖିବାକୁ ଡ୍ରୋନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ଵ ଦେଇଛନ୍ତି ।
ନିର୍ବାଚନ ସମୟରେ ଖର୍ଚ୍ଚର ପରିଚାଳନା, ଆଚରଣ ବିଧି ଲାଗୁ ସହ ଏହାର ଉଲ୍ଲଂଘନ ଏବଂ ଭୋଟ ଆରମ୍ଭ ପୂର୍ବର ୭୨ ଘଣ୍ଟାରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କିପରି ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ଆଲୋଚନା ହୋଇଛି । ସେହିପରି ରାଜ୍ୟରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସର ଭୋଟର ଓ ୪୦ ପ୍ରତିଶତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ବୁଥ ଓ ଭୋଟିଂ ପ୍ରକ୍ରିୟାରେ କିଭଳି ଗୁରୁତ୍ବ ଦିଆଯିବ ସେମାନଙ୍କ ସହ ଯାଉଥିବା ଲୋକମାନଙ୍କ ଉପରେ କିପରି ନଜର ରହିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ସେହିପରି ପୋଷ୍ଟାଲ ଭୋଟକୁ ଅଧିକ ବଢ଼ାଇବା ସହ ଷ୍ଟ୍ରଙ୍ଗ ରୁମ ଉପରେ ସ୍ବତନ୍ତ୍ର ନଜର ରଖାଯିବ, ସମ୍ବେଦନଶୀଳ ବୁଥଗୁଡିକରେ ଅଧିକ ଫୋର୍ସ ମୁତୟନ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ସୋସିଆଲ ମିଡିଆରେ ଅପ୍ରପ୍ରଚାର ଓ ଫେକ୍ ନ୍ୟୁଜ ସହ ଡିପ୍ ଫେକ୍ ଓ ଆର୍ଟିଫେସିଆଲ କ୍ୟାମ୍ପେନିଂ ଉପରେ ମଧ୍ୟ ନଜର ରଖିବାକୁ ସାଇବର ସେଲକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ଡିଜିପି ଅର୍ଜୁନ କୁମାର ଷଡଙ୍ଗୀ କହିଛନ୍ତି," ଆବଶ୍ୟକୀୟ ଯୋଜନା ଏବଂ ରଣନୀତି ପ୍ରଣୟନ କରିବା ନେଇ ସେ ଗୁରୁତ୍ଵାରୋପ କରାଯାଇଛି । ଏନଫୋର୍ସମେଣ୍ଟକୁ ଜୋରଦାର, ସଠିକ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମୁତୟନ, ଗୁଇନ୍ଦା ବିଭାଗକୁ ସକ୍ରିୟ, ରାତ୍ରକାଳୀନ ପାଟ୍ରୋଲିଂ ଓ ଚେକିଂକୁ କଡାକଡି, ମାଦକ ଦ୍ରବ୍ୟ ବ୍ୟବସାୟକୁ ଦମନ କରିବା ସହ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା କରିବା ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"