ବିଧାୟକ ଦଳ ବୈଠକ ଡାକିଲେ ନୀତିଶ

Feb 11, 2024 - 14:25
 2
ବିଧାୟକ ଦଳ ବୈଠକ ଡାକିଲେ ନୀତିଶ

ପାଟନା: ବିଧାନସଭାରେ ବିହାର ମେଣ୍ଟ ସରକାର ଦେବ ସଂଖ୍ୟାର ପରୀକ୍ଷା । ଯେଉଁଥିପାଇଁ ବିହାର ରାଜନୀତିକ ମାହୋଲ ସରଗରମ ରହିଛି । ସୋମବାର ଏହି ଫ୍ଲୋର୍ ଟେଷ୍ଟ ଥିବାବେଳେ ଏହାପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁ ବିଧାୟକ ଦଳ ବୈଠକ ଡକାଇଛନ୍ତି । ଜେଡିୟୁ ବରିଷ୍ଠ ନେତା ବିଜୟ ଚୌଧୁରୀଙ୍କ ପାଟନା ସ୍ଥିତ ବାସଭବନରେ ସନ୍ଧ୍ୟା ୫ଟାରେ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମସ୍ତ ବିଧାୟକ ଓ ବିଧାନ ପାରିଷଦମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଫ୍ଲୋର ଟେଷ୍ଟ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିବେ ନୀତିଶ ।

ସେପଟେ ଶନିବାର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାରଙ୍କ ବାସଭବନରେ ଆୟୋଜିତ ଏକ ଲଞ୍ଚ ପାର୍ଟିରେ ଜେଡିୟୁ ବିଧାୟକ ଓ ବିଧାନ ପରିଷାଦମାନଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ୧୨ ଜଣ ବିଧାୟକ ସାମିଲ ହୋଇନଥିଲେ । ଯାହାକୁ ନେଇ ରାଜନୀତିକ ଡ୍ରାମା ଦେଖିବାକୁ ମିଳିଥିଲା । ଏହି ଲଞ୍ଚ ପାର୍ଟିରେ ବୀମା ଭାରତୀ, ଅନିରୁଦ୍ଧ କୁମାର ଚୌଧୁରୀ, ଦିଲ୍ଲୀପ ରାୟ, ଅମନ ହଜାରୀ, ସୁଦର୍ଶନ, ଶାଲିନୀ ମିଶ୍ରା ପ୍ରମୁଖ ନେତା ସାମିଲ ହୋଇଥିଲେ ।
ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ 'ଖେଳ ଏବେ ବାକି ଅଛି' ମନ୍ତବ୍ୟ ପରେ ଜେଡିୟୁର ରାଜନୀତିକ ପାରା ଉପରମୁହାଁ ରହିଛି । ପାର୍ଟି ମୁଖ୍ୟମାନେ ଆଲର୍ଟ ମୋଡରେ ରହିଛନ୍ତି । ଭାରତୀୟ ଜନତା ପାର୍ଟି ଓ ଜନତା ଦଳ ମେଣ୍ଟ ନିଜ ନିଜର ବିଧାୟକମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହାମଧ୍ୟରେ ଜେଡିୟୁ ନିଜ ବିଧାୟକମାନଙ୍କ ପାଇଁ ହ୍ୱିପ ଜାରି କରିଛି । ୧୨ ଫେବ୍ରୁଆରୀରେ ସମସ୍ତ ବିଧାୟକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଫ୍ଲୋର ଟେଷ୍ଟରେ ଯେଉଁ ବିଧାୟକ ଅନୁପସ୍ଥିତ ରହିବେ ସେମାନଙ୍କ ସଦସ୍ୟତା ପଦ ସମାପ୍ତ କରି ଦିଆଯିବ ବୋଲି ପାର୍ଟି ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।