ମେଣ୍ଟ ଚର୍ଚ୍ଚାରେ ନୂଆ ମୋଡ଼

Mar 9, 2024 - 11:03
 3
ମେଣ୍ଟ ଚର୍ଚ୍ଚାରେ ନୂଆ ମୋଡ଼

ଭୁବନେଶ୍ୱର:ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି । ମେଂଟକୁ ନେଇ ଚାଲିଥିବା ରାଜନୀତିକ ହଟଚମଟ ଓ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।  ବିଜେପି ରାଜ୍ୟ ନେତୃତ୍ୱଙ୍କ ଏଭଳି ଦମ୍ଭୋକ୍ତି ସତ୍ତ୍ୱେ ରାଜ୍ୟରେ ବିଜେଡି ସହ ମେଂଟକୁ ନେଇ ଏବେବି ସସପେନ୍ସ ଲାଗି ରହିଛି ।

୩ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ  ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମେଂଟକୁ ନେଇ କୌଣସି ପ୍ରକାରର ଆଲୋଚନା ଦିଲ୍ଲୀରେ ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ଗତ ମାର୍ଚ୍ଚ ୧ତାରିଖରେ ସେ ଦେଇଥିବା ବୟାନକୁ ମଧ୍ୟ ଦୋହରାଇଥିଲେ ।
ତାଙ୍କ ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମେଂଟ କେବଳ କପୋଳକଳ୍ପିତ । ମେଂଟ ନେଇ କୌଣସି ନିଷ୍ପତ୍ତି କିମ୍ବା ଆଲୋଚନା ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିଲେ ଭଲ ପ୍ରଦର୍ଶନ କରିବ ବୋଲି ସ୍ପଷ୍ଟ ଭାବେ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ରାଜ୍ୟ ନେତୃତ୍ୱ ମତ ରଖିଛନ୍ତି । ମେଂଟକୁ ନେଇ କେବଳ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି କିଛି ଗଣମାଧ୍ୟମ ଓ ସୋସିଆଲ ମିଡିଆ ମଧ୍ୟ ଆସନ ବୁଝାମଣାର ଖବର ପ୍ରସାରଣ କରୁଛନ୍ତି । ବିଜେପି ରାଜ୍ୟରେ ଏକାକୀ ଲଢ଼ିବାର ବହୁତ ସମ୍ଭାବନା ରହିଛି ବୋଲି ସେ କହିଥିଲେ । ତାଙ୍କର ଏହି ବୟାନ ଉପରେ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିବାବେଳେ ମନମୋହନ ମଧ୍ୟ ସମାନ କଥା ଦୋହରାଇ ମେଂଟ ସମ୍ଭାବନାକୁ ଖାରଜ କରିଦେଇଛନ୍ତି ।
ଅନ୍ୟପକ୍ଷରେ, ଅସମର୍ଥିତ ସୂତ୍ର ଅନୁସାରେ ସମ୍ଭାବ୍ୟ ମେଂଟକୁ ନେଇ ଯେଉଁ ଫର୍ମୂଲା ତିଆରି ହୋଇଛି ସେଥିରେ ଦୁଇ ଦଳର ସହମତି ହୋଇପାରୁନି ।