ସୁନ୍ଦରଗଡ଼ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

May 31, 2024 - 11:28
 3689
ସୁନ୍ଦରଗଡ଼ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୧୯କୁ ବଢିଲା ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ଏମାନଙ୍କ ମଧ୍ୟରୁ ୪ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଥିବାବେଳେ ଅନ୍ୟ ୧୨ ଜଣଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଂଶୁଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ସୁନ୍ଦରଗଡ଼ ମେଡିକାଲରେ ୪ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଆଜି ରାଉରକେଲାରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ରାଉରକେଲାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କର ଜୀବନ ଅଂଶୁଘାତରେ ଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି । ତେବେ ସୁନ୍ଦରଗଡ଼ର ୪ ଓ ରାଉରକେଲାର ଅବଶିଷ୍ଟ ୮ଜଣଙ୍କର ମୃତ୍ୟୁ କାରଣ ଏବେବି ଅସ୍ପଷ୍ଟ ରହିଛି ।
ପ୍ରଶାସନର ସୂଚନା ଅନୁସାରେ ଗତକାଲି ରାଉରକେଲା ଡାକ୍ତରଖାନା ଆସିବାବେଳକୁ ୮ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ମୁଣ୍ଡ ବୁଲାଇବା ଓ ଅସ୍ବାଭାବିକ ଅନୁଭବ କରି ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ୟୁ କାରଣ ବି ଅସ୍ପଷ୍ଟ ରହିଛି । ଶବବ୍ୟବଚ୍ଛେଦ ପରେ ସମସ୍ତଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହେବ । ଅଂଶୁଘାତରେ ଆକ୍ରାନ୍ତ ୨୩ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ଗୁରୁତର ଥିବା ୧୦ ଜଣଙ୍କୁ ହାଇଟେକ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି।