ଆପ୍ ଇଣ୍ଡିଆ ମେଣ୍ଟ ପ୍ରତି ପ୍ରତିଶ୍ରୁତିବଦ୍ଧ କହିଲେ କେଜ୍ରିୱାଲ, ଖୁବ୍ଶୀଘ୍ର ହେବ ଆସନ ବୁଝାମଣା
APP INDIA
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଗଣମାଧ୍ୟମକୁ କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟରୁ ଓହରିବନି । ଆପ୍ ଇଣ୍ଡିଆ ମେଣ୍ଟ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ମେଣ୍ଟ ଧର୍ମ ପାଳନ କରିବାପାଇଁ ଏହା ବଦ୍ଧପରିକର ବୋଲି କେଜ୍ରିୱାଲ କହିଛନ୍ତି । ତେବେ ପଂଜାବ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖଇରାଙ୍କ ଗିରଫ ଘଟଣାକୁ କେନ୍ଦ୍ର କରି ଇଣ୍ଡିଆ ମେଣ୍ଟରେ କନ୍ଦଳ ତୀବ୍ର ହୋଇଛି । ଆପ୍ ସରକାର ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ବୋଲି ପଂଜାବ କଂଗ୍ରେସ ପକ୍ଷରୁ ଦାବି ହୋଇଥିବାବେଳେ କେଜ୍ରିୱାଲ ଆଜି ଏହି ଟିପ୍ପଣୀ ଦେଇଛନ୍ତି ।
ଆପ୍ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି । ଆଇନ ଅନୁଯାୟୀ ଖଇରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ଆପ୍ କହିଛି । ତେବେ ଏଯାବତ ଆସନ ବୁଝାମଣା ସଂକ୍ରାନ୍ତରେ କୌଣସି ଘୋଷଣା ହୋଇନଥିବା ନେଇ ପ୍ରଶ୍ନ କରିବାରୁ କେଜ୍ରିୱାଲ କହିଛନ୍ତି, ଖୁବ୍ଶୀଘ୍ର ଆସନ ବୁଝାମଣା ହେବ । ତେବେ ସୁଖପାଲ ସିଂହ ଖଇରା ଗିରଫ ପ୍ରସଙ୍ଗରେ କେଜ୍ରିୱାଲ କହିଛନ୍ତି, ଗତକାଲି ପଂଜାବ ପୁଲିସ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ଗିରଫ କରିଥିବା ମୁଁ ଶୁଣିଛି । କିନ୍ତୁ ମୁଁ ଉକ୍ତ ବିଷୟରେ ବିସ୍ତୃତ ଭାବେ ଜାଣିନାହିଁ । ଡ୍ରଗ୍ସ ମାମଲାରେ ଭଗୱନ୍ତ ମାନ୍ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ କାହାକୁ ଛଡାଯିବନି ବୋଲି ସେ କହିଛନ୍ତି ।