ଅନ୍ଧାରରେ ରହିବନି ରାଜଧାନୀ
ଭୁବନେଶ୍ବର: ରାଜଧାନୀର କୌଣସି ଅଞ୍ଚଳ ଅନ୍ଧାରରେ ରହିବନି। କେବଳ ପାର୍ବଣ ଋତୁରେ ନୁହେଁ, ବର୍ଷ ସାରା ସହର ଉଜ୍ଜ୍ବଳ ଆଲୋକରେ ଝଲସିବ। ଷ୍ଟ୍ରିଟ୍ଲାଇଟ୍ର ମୁକ୍ତ ପ୍ରବାହକୁ ଗଛ ଡାଳ ଅବରୋଧ କଲେ ତୁରନ୍ତ କଟା ହେବ, କେଉଁଠି ଲାଇଟ୍ ନ ଜଳିଲେ ତୁରନ୍ତ ମରାମତି ହେବ। ସହରର ଶତପ୍ରତିଶତ ଷ୍ଟ୍ରିଟ୍ ଲାଇଟ୍ ଜଳିବାକୁ ନିଶ୍ଚିତ କରିବା ପାଇଁ ବିଏମ୍ସି ୬୭ ଅଫିସରଙ୍କୁ ଗୋଟିଏ ଗୋଟିଏ ୱାର୍ଡର ଦାୟିତ୍ବ ଦେଇଛି। ରାତି ୯ଟାରୁ ରାତି ୧ଟା ପର୍ଯ୍ୟନ୍ତ ବୁଲି ଏହି ଅଫିସରମାନେ ସ୍ଥିତି ଅନୁଧ୍ୟାନ କରିବେ। ଏକ ସ୍ବତନ୍ତ୍ର ଫର୍ମାଟ୍ରେ ରିପୋର୍ଟ ଦାଖଲ କରିବେ। ସେହି ରିପୋର୍ଟ ଆଧାରରେ ଲାଇଟ୍ ମରାମତି କରାଯିବ। ଏମାନଙ୍କର ନିର୍ଦ୍ଦେଶ ପାଳନ କରିବେ ସେହି ୱାର୍ଡର ସାନିଟାରି ଇନ୍ସ୍ପେକ୍ଟର, ସ୍ବଚ୍ଛ ସୁପର ଭାଇଜର ଓ ୱାର୍ଡ ଅଫିସର। ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି କମିସନର।