ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ ପାଇଁ ଉଦ୍ୟମ ଜାରି ରହିବ:ବିଜେଡି
ଭୁବନେଶ୍ୱର : ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ୟ୍ୟକାରିଣୀରେ ୧୧ଟି ରାଜନୈତିକ, ୧୬ଟି ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ବିଜେଡିର ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ୟ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି। ବୈଠକରେ ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାଯ୍ୟ ଦାବି ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା। କୋଇଲା ରୟାଲଟି, ସେସ୍ ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବି ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ୟ୍ୟ ତ୍ୱରାନିତ କରିବା ଏବଂ କେନ୍ଦୁପତ୍ର ଉପରୁ ଜିଏସଟି ବୋଝ ଦୂର କରିବା, ଦରବୃଦ୍ଧି ପାଇଁ ମହିଳାଙ୍କ ସମସ୍ୟା ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଦୋହରାଯିବ। ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମର ସଫଳ କାର୍ୟ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି। ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ୱ କାର୍ୟ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତ୍ତନ, ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ତଥା ଆଗାମୀ ଦିନରେ ସାଂଗଠନିକ କାର୍ୟ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଛି।କାର୍ୟ୍ୟକାରିଣୀରେ ମୋଟ୍ ୨୭ଟି ପ୍ରସ୍ତାବ ଆଗତ ହୋଇଥିବା ବେଳେ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ। ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଥିଲା। ଶେଷରେ ଦଳର ବରିଷ୍ଠ ଉପ ସଭାପତି ଏ. ୟୁ. ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।