ବଜେଟ: ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ କରାଯିବ ବୋଲି ଘୋଷଣା କରିଛନ୍ତି । ୫୭୦ ନୂଆ ରୁଟରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ । ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ । ଲାକ୍ଷାଦ୍ୱୀପରେ ଭିତ୍ତି ଭୂମିର ବ୍ୟାପକ ବିକାଶ କରାଯିବ । ସେହିପରି ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି । ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଚାଲୁ ରହିଛି । ସବକା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ତେବେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି । ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି ।
ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି । ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ ପ୍ରତିଷ୍ଠା ହୋଇଛି । ୧୩ଟି ଏମସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
ସେହିପରି ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେ, ପି- ପରଫରମାନ୍ସ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାଛଡ଼ା ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନସର ଟିକା ଦିଆଯିବ ବୋଲି ସେ କହିଛନ୍ତି । ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବା ନେଇ ମଧ୍ୟ ସେ କହିଛନ୍ତି ।
୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ୮୩ ଲକ୍ଷ ଏସଏଚଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି । ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’ ଯୋଜନା ବ୍ୟବସ୍ଥା କରାଯାଇଛି । ‘ଜୟ ଅନୁସନ୍ଧାନ’ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ୪୦ ହଜାର ସାଧାରଣ ବଗି ବନେ୍ଦ ଭାରତ ବଗିକୁ ରୂପାନ୍ତର ହେବ ।
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଓ ସରଳ କରାଯିବ । ବିକଶିତ ଭାରତକୁ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା କରାଯିବ । ବିତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତକୁ ହ୍ରାସ କରାଯିବା ଲକ୍ଷ୍ୟ ରହିଛି । ୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ହେବା ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।