୧୨ ସୁଦ୍ଧା ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ମିଗଜୋମ’ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସ୍ଵତନ୍ତ୍ର ରିଲିଫ୍ କମିସନର। ଓଡ଼ିଶାର ସବୁ ଜିଲ୍ଲାପାଳ, କୃଷି, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମୁକାବିଲା ବିଭାଗଙ୍କୁ ଚିଠି ଲେଖି ଅନୁଧ୍ୟାନ ପାଇଁ କୁହାଯାଇଛି। ଡିସେମ୍ବର ୧୨ ସୁଦ୍ଧା ରିପୋର୍ଟ ଦେବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ପୂର୍ବରୁ ବନ୍ୟାଜନିତ ଫସଲ କ୍ଷତି ଅଞ୍ଚଳକୁ ସର୍ଭେରୁ ବାଦ୍ ଦେବାକୁ ଦିଆଯାଇଛି ପରାମର୍ଶ।
ଏ ନେଇ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀ ମିଳିତ ଭାବେ ଅନୁସନ୍ଧାନ କରି ଫସଲ କ୍ଷୟକ୍ଷତି ଆକଳନ କରିବେ। ଚଳିତ ଡିସେମ୍ବର ୧୨ ସୁଦ୍ଧା ଏ ନେଇ ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ଫସଲ କ୍ଷତିର ପରିମାଣ ଆକଳନ କରିବା ବେଳେ, ପ୍ରଭାବିତ କୃଷକଙ୍କ ଜମି ସମ୍ପର୍କିତ ତଥ୍ୟ ଭୁଲେଖରୁ ଯାଞ୍ଚ କରାଯିବ। ଜିଲ୍ଲାପାଳ ଫସଲ କ୍ଷୟକ୍ଷତିର ଅନୁମୋଦନ ପ୍ରଦାନ କରିବେ। ତେବେ ଚଳିତ ବର୍ଷ ପୂର୍ବରୁ ବନ୍ୟା ଏବଂ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ଏବେର ମୂଲ୍ୟାଙ୍କନରେ ଅନ୍ତର୍ଭୂକ୍ତ ହେବ ନାହିଁ।