ଆଜି ଏଥିକ୍ସ କମିଟି ଆଗରେ ହାଜର ହେବେ ମହୁଆ ମୋଇତ୍ର
ନୂଆଦିଲ୍ଲୀ : ଲୋକସଭାର ଆଚାର ସଂହିତା କମିଟି(ଏଥିକ୍ସ କମିଟି) ଟିଏମ୍ସି ସାଂସଦ ମହୁଆ ମୋଇତ୍ର ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରୁଛି। ଏହି କମିଟି ଆଜି ଟିଏମ୍ସି ସାଂସଦଙ୍କୁ ଜେରା କରିବ। ତିନୋଟି ମନ୍ତ୍ରାଳୟର ସୂଚନା ଆଧାରରେ ତାଙ୍କୁ ପ୍ରଶ୍ନ କରାଯିବ। ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟ ଆଇନଜୀବୀ ଜୟଆନନ୍ଦ ଦେହାଦ୍ରାଇ ।ଗତ ମାସ ଜୟଆନନ୍ଦ ଦେହାଦ୍ରାଇ ସିବିଆଇ ନିକଟରେ ମହୁଆଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଦୁବେଙ୍କ ଅଭିଯୋଗକୁ ଅଧିକ ତଦନ୍ତ ପାଇଁ ଏଥିକ୍ସ କମିଟି ନିକଟକୁ ପଠାଇଥିଲେ ସ୍ପିକର ଓମ୍ ବିର୍ଲା ।
ତେବେ ଆଜି ମହୁଆ ମୋଇତ୍ର ଏଥିକ୍ସ କମିଟି ଆଗରେ ହାଜର ହେବାକୁୁ ଥିବା ବେଳେ ଗତକାଲି ଦୁବାଇରୁ ୪୭ ଥର ମହୁଆଙ୍କ ଆଇଡିରେ ଲଗ୍ଇନ୍ କରାଯାଇଥିଲା ବୋଲି ସୂଚନା ମିଳିଛି। ଯେତିକି ଥର ଲଗ୍ଇନ୍ ହୋଇଛି ସେତିକି ଥର ମଧ୍ୟ ସଂସଦରେ ପ୍ରଶ୍ନ ପଚରା ଯାଇଛି। ଏହାକୁ ନେଇ ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କୁ ନିଶାଣ କରିଛନ୍ତି। ଯଦି ଏହି ଖବର ସତ ହୋଇଥାଏ ତେବେ ସମସ୍ତ ସାଂସଦ ମହୁଆଙ୍କ ବିରୋଧରେ ଛିଡ଼ା ହେବା ଉଚିତ ବୋଲି କହିଛନ୍ତି। ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଇଙ୍ଗିତରେ ମହୁଆ ପ୍ରଶ୍ନ ପଚାରୁଥିବା ଅଭିଯୋଗ କରିଥିଲେ।