ଆଜି ସାରା ପଶ୍ଚିମ ଓଡ଼ିଶା ପାଳୁଛି ନୂଆଁଖାଇ
ସମ୍ବଲପୁର : ଆଜି ନୂଆଁଖାଇ। ସାରା ପଶ୍ଚିମ ଓଡ଼ିଶା ପାଳୁଛି ନୂଆଁଖାଇ। କେବେଳ ଶୁଭ ମୂହୁର୍ତ୍ତକୁ ଅପେକ୍ଷା। ଇଷ୍ଟଦେବୀ ମା’ ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।ତେବେ ବୁଧବାର ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ । ଏହାପରେ ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳିବେ । ପୂଜକଙ୍କ ପରିବାରରେ ପିଠାପଣା ଠାରୁ ଆରମ୍ଭ କରି ନବାନ୍ନ ପ୍ରସ୍ତୁତ ହୋଇ ସାରିଲାଣି ।
ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯିବାର ପରମ୍ପରା ରହିଛି। ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବ। ଏହା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବେ। ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବାର ପରମ୍ପରା ରହିଛି। ବରଗଡ଼ ଜିଲ୍ଲାରେ ମଧ୍ୟରାତ୍ରୀରେ ଗ୍ରାମ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି। ଦିନ ୧୦ଟା୪୨ ରୁ ୧୨ ଟା୪୪ ମଧ୍ୟରେ ସର୍ବସାଧାରଣ ନିଜ ନିଜ ଇଷ୍ଟ ଦେବାବେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରିନବାନ୍ନ ଭକ୍ଷଣ ନେଇ ଲଗ୍ନ ଧାର୍ୟ୍ୟ ହୋଇଛି ।