ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା ବିଜେପି, ପ୍ରସ୍ତାବକୁ କଂଗ୍ରେସର ସମର୍ଥନ
Odisha Assembly
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଜାଣିଶୁଣି ବିରୋଧୀ ଦଳର ନେତାମାନଙ୍କୁ ଜନବିରୋଧି ବୋଲି ଆଖ୍ୟା ଦେଇ ଅତ୍ୟନ୍ତ ଅସମ୍ମାନ ପ୍ରଦର୍ଶନ କରିଛନ୍ତି । ସଚିବ ବଡ ନା ମନ୍ତ୍ରୀ ବଡ ଏହି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ବିଜେପି ପକ୍ଷରୁ ଅଣାଯାଇଥିଲେ ମଧ୍ୟ ସରକାର ମୁଲତବି ପ୍ରସ୍ତାବକୁ ଗ୍ରହଣ କରିବା ତ ଦୂରର କଥା ବିରୋଧିମାନଙ୍କୁ ଅପମାନ ଦେଲା ଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ବିଜେପି ମତ ରଖିଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଜନବିରୋଧି ବୋଲି ସମ୍ବୋଧନ କରିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ କିମ୍ବା ତାଙ୍କ ସରକାରଙ୍କର ଆଦୌ ନାହିଁ ବୋଲି ବିରୋଧି ଦଳର ମୁଖ୍ୟ ସଚେତନ ମୋହନ ମାଝୀ କହିଛନ୍ତି । କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଯେଉଁ ମୁଖ୍ୟମନ୍ତ୍ରୀ ନିଜେ ଜନବିରୋଧି କାର୍ଯ୍ୟ କରୁଛନ୍ତି ସେ ବିରୋଧି ଦଳକୁ ଜନବିରୋଧି କହି ଅପମାନିତ କରିଛନ୍ତି । ରାଜ୍ୟରେ ଗୁମାସ୍ତା ଶାସନ କରି ଗଣତନ୍ତ୍ରର ହତ୍ୟା କରୁଥିବା ବିଜେଡି ସରକାର ବିରୋଧରେ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ସମ୍ପୂର୍ଣ୍ଣ ଠିକ୍ ଏବଂ ନ୍ୟାୟ ସଙ୍ଗତ ବୋଲି କହିଛନ୍ତି ନରସିଂହ ମିଶ୍ର ।
ସେହିଭଳି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପୂର୍ତ୍ତମନ୍ତ୍ରୀ ବିଧାନସଭାରେ ବିଭାଗ ସମ୍ପର୍କରେ ଦେଉଥିବା ତଥ୍ୟରେ ବହୁତ ମିଥ୍ୟା ସୂଚନା ରହୁଛି ଓ ବାରମ୍ବାର ଖାମଖିଆଲି ଭାବରେ ସୂଚନା ଦିଆଯାଉଛି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରଛନ୍ତି । ସେ ପ୍ରିଭିଲେଜ୍ କମିଟି ଗଠନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ଓ ଏହାର ବିଚାର କରାଯିବ ବୋଲି ବାଚସ୍ପତି ମତ ଦେଇଛନ୍ତି ।