ଗୁରୁ ଦିବସରେ ଗୁରୁ ପିନ୍ଧିବେ କଳାପଟି

Sep 4, 2023 - 13:00
 4
ଗୁରୁ ଦିବସରେ ଗୁରୁ ପିନ୍ଧିବେ କଳାପଟି

ଭୁବନେଶ୍ବର: ଗୁରୁ ଦିବସରେ ଗୁରୁ ପିନ୍ଧିବେ କଳା ପଟି। ଯଦି ଗୁରୁର ମର୍ୟ୍ୟାଦା ନାହିଁ ତେବେ ଗୁରୁ ଦିବସରେ ଗୁରୁ ପୂଜା ଅର୍ଥହୀନ। ଏ ରାଜ୍ୟରେ ଗୁରୁ ଭୋକିଲା ପେଟରେ ଶିକ୍ଷାଦାନ କରୁଛନ୍ତି। ଅବସର ପରେ ବୁଲିବୁଲି କେଉଁଠି ଚା’ ବିକୁଛନ୍ତି ତ କେଉଁଠି ପରିବା। ଯେଉଁଠି ଗୁରୁଙ୍କର ମର୍ୟ୍ୟାଦା ନାହିଁ ସେଠାରେ ଗୁରୁ ଦିବସ କାହା ପାଇଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ପ୍ରଶ୍ନ କରିଛନ୍ତି। ବିଭିନ୍ନ ଦାବିନେଇ ୩୦ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଗୁରୁ ଦିବସରେ ଗାନ୍ଧୀ ମାର୍ଗରେ ସମବେତ ହୋଇ ମର୍ୟ୍ୟାଦା ଦିବସ ପାଳନ କରିବେ। ଏହା ସତ୍ତ୍ୱେ ଯଦି ସରକାର ଏହାକୁ ହେୟଜ୍ଞାନ କରନ୍ତି ତେବେ ବିଧାନସଭା ଆରମ୍ଭ ହେବା ଦିନ ଗାନ୍ଧୀମାର୍ଗରେ ଖୋଲା ବିଧାନସଭା ଅନୁଷ୍ଠିତ ହେବ। ଯେଉଁଥିରେ ଲକ୍ଷାଧିକ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ, ଆଲୁମିନି କମିଟି ଯୋଗଦେବେ। ଏହି ଖୋଲା ବିଧାନସଭାକୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ପତ୍ରକାର ଓ ବିଭିନ୍ନ ଗଣସଙ୍ଗଠନକୁ ଆମନ୍ତ୍ରଣ କରାଯିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି ଅଗଷ୍ଟ ୧୬, ୧୭, ୧୮ରେ ଓଷ୍ଟାର ଅହୋରାତ୍ର ଧାରଣା ପରେ ୮ ଦିନ ମଧ୍ୟରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ବସି ସମସ୍ୟାର ସମାଧାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଯେଉଁଥିପାଇଁ ଓଷ୍ଟା ପକ୍ଷରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ସହ ଯଦି ରାଜ୍ୟ ସରକାର କାଳକ୍ଷେପଣ ନୀତି ଆପଣାନ୍ତି, ତେବେ ଗୁରୁ ଦିବସଠାରୁ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଥିଲା। ଇତିମଧ୍ୟରେ ୮ ଦିନ ବଦଳରେ ୧୮ ଦିନ ବିତିଗଲାଣି। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଦିନ ପରେ ଦିନ ବିତୁଛି। ଏପଟେ ଆଗୁଆ ନିର୍ବାଚନ କରିବାକୁ ରାଜ୍ୟ ସରକାର ସଜବାଜ ହେଲେଣି। ମନେ ହେଉଛି ରାଜ୍ୟ ସରକାର ଠକି ଦେବା ମତଲବରେ ଅଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ। ୫୦ ବର୍ଷରୁ ଅଧିକ ବିନା ଦରମାରେ ଶିକ୍ଷାଦାନ କରିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ସହିବାର ସମସ୍ତ ସୀମା ଅତିକ୍ରମ କରିଗଲେଣି। ତଥାପି ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ପାଇପାରି ନାହାନ୍ତି। ନା ପେନସନ୍ ମିଳିଛି ନା ଗ୍ରାଚୁଇଟି। ଶୂନ୍ୟ ହସ୍ତରେ ସରକାର ଚାକିରିରୁ ବିଦାୟ ନେଉଛନ୍ତି ଏହା ପ୍ରତିବାଦରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ।