ଟୁଟୁ ନାୟକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ଜାମିନ୍ ପ୍ରଦାନ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ରାଜ୍ୟ ବାହାରକୁ ଗଲେ କୋର୍ଟର ଅନୁମତି ନେବେ ବୋଲି କୋର୍ଟ କହିଛନ୍ତି । ଏହାସହିତ ସାକ୍ଷୀମାନଙ୍କୁ ଭୟଭୀତ ଏବଂ ପ୍ରଲୋଭିତ କରିବେ ନାହିଁ । ଏପିରିକିପୀଡିତାଙ୍କୁ ଧମକଚମକ ଦେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩ ତାରିଖରେ ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ’ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରିମିୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ବାଦିକ ବାହାରକୁ ଆସିଥିଲେ । ଅଭିନେତାଙ୍କ ବାଇଟ୍ ନେବା ପାଇଁ ମହିଳା ସାମ୍ବାଦିକ ଜଣକ ହଲ୍ ପ୍ରବେଶ ପଥରେ ଠିଆ ହୋଇଥିଲେ । ଠିକ୍ ସେହି ସମୟରେ ପ୍ରଯୋଜକ ଟୁଟୁ ନାୟକ ପଛ ପଟୁ ଆସି ମହିଳା ସାମ୍ବାଦିକଙ୍କୁ ଥାପୁଡାଇ ଦେଇଥିଲେ, ଫଳରେ ତାଙ୍କ ବୁମ୍ ଓ ମୋବାଇଲ ତଳେ ପଡିଯାଇଥିଲା । ପରେ ସେ ବୁମ୍ ନଉଠାଇ ଓଲଟା ତାଙ୍କ ଗାଲରେ ଚାପୁଡା ମାରି ସେଠାରୁ ପଳାଇ ଯାଇଥିଲେ । ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ମହିଳା ସାମ୍ବାଦିକ ଜଣଙ୍କ ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ଏହି ପ୍ରସଙ୍ଗରେ ବେଶ୍ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଆଉ ଟୁଟୁ ନାୟକଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ଝାରପଡ଼ା ଜେଲ୍ରେ ଥିଲେ ।
ସେପଟେ କୋର୍ଟରେ ଜାମିନ ଆବେଦନ କରିଥିଲେ ଟୁଟୁ ନାୟକ । କିନ୍ତୁ କୋର୍ଟ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଶେଷରେ ବୁଧବାର ଦିନ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସଡିଜେଏମ୍ କୋର୍ଟ । ଜାମିନ ପ୍ରଦାନ ସହ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।