ଇସ୍ରାଏଲ ନୁହେଁ, ଗାଜା ହସ୍ପିଟାଲ ଉଡ଼ାଇଛି ହମାସ
ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ଗାଜା ହସ୍ପିଟାଲରେ ରକେଟ ମାଡ଼ରେ ୫୦୦ ଜଣଙ୍କ ମୃତୁ୍ୟ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ଇସ୍ରାଏଲ ନୁହେଁ, ହମାସ ହିଁ ହସ୍ପିଟାଲ ଉଡ଼ାଇଛି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଆଇଡିଏଫ ପକ୍ଷରୁ କୁହାଯାଇଛି । ଏନେଇ ଆଇଡିଏଫ ପ୍ରମାଣ ବି ଦେଇଛି । ଆଇଡିଏଫ ପକ୍ଷରୁ କୁହାଯାଇଛି ଯେ ହମାସର ରକେଟ ମିସ ଫାୟାର ହୋଇ ହସ୍ପିଟାଲ ଉପରେ ପଡ଼ିଥିଲା । ଫଳରେ ରକେଟ ମାଡ଼ରେ ଧ୍ୱସଂ ହୋଇଯାଇଥିଲା ବୋଲି ଆଇଡିଏଫ ପକ୍ଷରୁ କୁହାଯାଇଛି । ଏନେଇ ଆଇଡିଏଫ ପକ୍ଷରୁ ଏ ଅଡିଓ କଲ ମଧ୍ୟ ଉପସ୍ଥାପନ କରାଯାଇଛି ।
ହମାସ ଏବଂ ଇସ୍ରାଏଲ ମଧ୍ୟରେ ହେଉଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ହମାସ ଦାବିକରିଛି ଯେ, ମଙ୍ଗଳବାର ଇସ୍ରାଏଲ ପ୍ରାୟ ରାତି ୧୦ ଟା ସମୟରେ ଗାଜା ପଟିରେ ଥିବା ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ କରିଛି। ଯେଉଁଥିରେ ପ୍ରାୟ ୫୦୦ ଲୋକେ ମୃତ୍ୟୁ ବାରଣ କରିଛନ୍ତି। ଗାଜା ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯେଉଁ ଡାକ୍ତରଖାନାରେ ଏହି ଆକ୍ରମଣ ହୋଇଥିଲା ସେଠାରେ ଶହ ଶହ ରୋଗୀ ଏବଂ ଆହତ ଲୋକ ରହିଥିଲେ ଏବଂ ଯୁଦ୍ଧ ଆରମ୍ଭ ପରେ ବିସ୍ଥାପିତ ହୋଇଥିବା ଅନ୍ୟ ଲୋକମାନେ ମଧ୍ୟ ଥିଲେ। ଅନ୍ୟପକ୍ଷରେ, ଇସ୍ରାଏଲ୍ ଯୁଦ୍ଧ କକ୍ଷ କହିଛି ଯେ ଏହି ଆକ୍ରମଣ ଇସ୍ରାଏଲ୍ ଦ୍ୱାରା କରାଯାଇ ନାହିଁ ବରଂ ହମାସ ଦ୍ଵାରା ହୋଇଥିବା ଅସନ୍ତୋଷର ଫଳାଫଳ ଅଟେ।
ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହା ଇସ୍ରାଏଲ ବାୟୁସେନାର ଆକ୍ରମଣ ଥିଲା ବୋଲି ହମାସ୍ ଦାବି କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଯେ ଆକ୍ରମଣର ୨ ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି। ତେବେ ଇସ୍ରାଏଲ ବାୟୁସେନା କହିଛନ୍ତି, ହସ୍ପିଟାଲ ଉପରେ ଆକ୍ରମଣ ଅଭିଯୋଗ ଉପରେ ଆମେ ଯାଞ୍ଚ କରୁଛୁ ଏବଂ ବିସ୍ଫୋରଣର କାରଣ ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବୋମାମାଡ଼ରେ ହସ୍ପିଟାଲ ଛାରଖାର ହୋଇଯାଇଛି । ଧ୍ବଂସାବଶେଷ ତଳେ ଆହୁରି ଶତାଧିକ ଲୋକଙ୍କ ଶବ ଚାପି ହୋଇ ରହିଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଗାଜା ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିବା ପ୍ରାୟ ୨ ହଜାର ଲୋକ ଏହି ହସ୍ପିଟାଲ ପରିସରରେ ଆଶ୍ରୟ ନେଇଥିବା ସମୟରେ ଆକ୍ରମଣ ହୋଇଛି।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଟ୍ୱିଟ୍ କରି ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପାଇଁ ହମାସକୁ ଦାୟୀ କରିଛନ୍ତି।