ଆଜିଠୁ କମିବ ଶୀତ

Dec 24, 2023 - 08:04
 5
ଆଜିଠୁ କମିବ ଶୀତ

ଭୁବନେଶ୍ୱର: ଗତ କିଛି ଦିନ ହେବ ଭୀଷଣ ଜାଡ଼ରେ ଥରୁଥିବା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର ଆଣିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ରର ଆକଳନ ଅନୁଯାୟୀ, ରାତି ତାପମାତ୍ରାରେ ୨ରୁ ୩ଡିଗ୍ରୀ ବୃଦ୍ଧି ପାଇବ ଏବଂ ଏଥିଯୋଗୁଁ ଶୀତର ପ୍ରକୋପ କମିବ। ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପରେଖା ସହ ଜଡ଼ିତ ବାୟୁ ଚଳାଚଳ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘୁଆ ରହିଛି। ମାତ୍ର ବର୍ଷାର କୌଣସି ସମ୍ଭାବନା ନାହିଁ। ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାମାନଙ୍କରେ ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୩ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଅପରପକ୍ଷେ, ଆସନ୍ତା ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। ଘନ କୁହୁଡି ପାଇଁ ଆଜି ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର କିମ୍ବା ତା’ଠାରୁ କମ୍ ହୋଇପାରେ । ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।