ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହାଜତରେ ଆପ୍‌ ନେତା ସଂଜୟ ସିଂହ

Oct 6, 2023 - 06:02
 6
ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହାଜତରେ  ଆପ୍‌ ନେତା ସଂଜୟ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିବା ଆପ୍‌ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହାଜତ ପଠାଯାଇଛି। ବର୍ଷକ ମଧ୍ୟରେ ଆପ୍‌ର ତୃତୀୟ ନେତାଭାବେ ସଂଜୟ ସିଂହ ଏହି ମାମଲାରେ ଗିରଫ ହୋଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ମାମଲାରେ ପୂର୍ବରୁ ଜେଲ୍‌ରେ ଅଛନ୍ତି। ସଂଜୟ ସିଂହଙ୍କୁ ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। ଆଜି କୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ ଜଣେ ବ୍ୟବସାୟୀ ସାଂସଦ ସିଂହଙ୍କୁ ୨ କୋଟି ଟଙ୍କା ଦେଇଥିଲେ ଏବଂ ଏହି ଟଙ୍କା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ। ଆପ୍‌ ସାଂସଦଙ୍କ ବିରୋଧରେ ଇଡି ଡିଜିଟାଲ ପ୍ରମାଣ ଯୋଗାଡ଼ କରିଥିବା କହିଛି। ମାମଲାରେ ଜଣେ ଅଭିଯୁ୍କ୍ତ ଦିନେଶ ଆରୋରାଙ୍କର ଜଣେ କର୍ମଚାରୀ ସାଂସଦ ସିଂହଙ୍କୁ ଏହି ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ସଂଜୟ ସିଂହ ଗିରଫ ହେବାପରେ ଆଜି ପ୍ରଥମ ଟିପ୍ପଣୀ ରଖିଛନ୍ତି। ସଂଜୟ ସିଂହ କହିଛନ୍ତି, ଆପ୍‌ର ଜଣକ ପରେ ଜଣେ ନେତା ଗିରଫ ହେବାରୁ ଜଣାପଡ଼ୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହାରିବେ ଏବଂ ଏହି ହତାଶାରେ ସେ ଏଭଳି ପଦକ୍ଷେପ ନେଉଛନ୍ତି।