୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ: ପ୍ରତାପ ଦେବ
ଭୁବନେଶ୍ୱର: ରାଜ୍ୟରେ ୮୪୮ ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମତି ଦିଆଯାଇଛି । ଏହାଦ୍ୱାରା ୯ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇସାରିଛି। ଗ୍ରାଉଣ୍ଡିଂ ଅଫ୍ ପ୍ରୋଜେକ୍ଟରେ ଓଡ଼ିଶା ଦେଶରେ ଏକ ନମ୍ବର। ଏମଏସଏମଇ ଓ ଶିଳ୍ପ ବିଭାଗ ମଧ୍ୟରେ ସମନ୍ଵୟ ରଖି ଆତ୍ମ ନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ପ୍ରଶ୍ନକାଳ ସମୟରେ ଏ ବାବଦରେ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ଆଜି ସ୍ୱାଭାବିକ ହୋଇଛି ଗୃହକାର୍ୟ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଥିଲା । ଏପରିକି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ସୁରୁଖୁରରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କୌଣସି ନିଷ୍କର୍ସ ବାହାରିନଥିଲା । ତେବେ ୨ ଦିନର ଅଚଳାବସ୍ଥା ପରେ ପୁଣିଥରେ ଗୃହକାର୍ୟ୍ୟ ସ୍ୱାଭାବିକ ହୋଇଛି ।