ନିର୍ବାଚନ ପରେ ଗୋପାଳପୁର-ସାତପଡ଼ା ସେତୁ କାମ

May 10, 2024 - 11:35
 5227
ନିର୍ବାଚନ ପରେ ଗୋପାଳପୁର-ସାତପଡ଼ା ସେତୁ କାମ

କୃଷ୍ଣପ୍ରସାଦ: କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେବ। ଗୋପାଳପୁରରୁ ସାତପଡ଼ାକୁ ଦୁଇଲେନ୍‌ ରାସ୍ତା ସଂଯୋଗ କରିବ। ଏହି ରାସ୍ତା ପାଇଁ ମଞ୍ଜୁରି ମିଳିସାରିଛି। ଡିପିଆର୍‌ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପରେ ଏହି କାମ ଆରମ୍ଭ ହେବ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ।
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଖେଳ ପଡ଼ିଆରେ ଆଜି ଅପରାହ୍ଣରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶ ଯୋଗଦେଇ ଗଡ଼କରୀ କହିଥିଲେ, ଟାଙ୍ଗିରୁ ଦୀଘା ପର୍ୟ୍ୟନ୍ତ ଯେଉଁ ରାସ୍ତା ତିଆରି ହେଉଛି, ଚିଲିକା ହ୍ରଦ ଓ ଆଦ୍ରଭୂମି କାରଣରୁ ସେଥିରୁ ଗୋପାଳପୁରରୁ ସାତପଡ଼ା ଭିତରେ ସଂଯୋଗୀକରଣ ରାସ୍ତା ବାଦ୍‌ ପଡ଼ିଛି। ଏନ୍‌ଏଚ୍‌-୫ ଓ ୧୬(ଏ) ଏବଂ ଏନଏଚ-୩୧୬(ଏ) ମଝିରେ ଥିବା ଏହି ରାସ୍ତା ନହେବା କାରଣରୁ ଏବେ ବି ଦେଶୀ ଡଙ୍ଗା ଉପରେ ଅଞ୍ଚଳବାସୀ ନିର୍ଭର କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ ଉପାସନା ମହାପାତ୍ର ମୋର ଦୃଷ୍ଟିଗୋଚର କରିଥିଲେ। ଏହାକୁ ସେ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଗୋପାଳପୁରରୁ ସାତପଡ଼ାକୁ ଚିଲିକା ଉପରେ ରାସ୍ତା ନିର୍ମାଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ୨.୫ କିଲୋମିଟରର ଏହି ରାସ୍ତା ଦୁଇଲେନ୍‌ ବିଶିଷ୍ଟ ହେବ। ୧ କିଲୋମିଟର ଲମ୍ବ ଦୁଇଲେନ୍‌ ବ୍ରିଜ ହେବ। ଏହାର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।