କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନବଜାତ ଶିଶୁର ବାପା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ। ସେ ଏ ସଂକ୍ରାନ୍ତରେ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଜଣାଇବା ସହ ଶିଶୁର ଡିଏନ୍ଏ ଟେଷ୍ଟ ଦାବି କରିଛନ୍ତି। ଏପରିକି ଡିଏନ୍ଏ ଟେଷ୍ଟ ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ନବଜାତ ଶିଶୁକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି। ଏଥିସହ ସେ କ୍ୟାପିଟାଲ ଥାନାରେ ମଧ୍ୟ ଏନେଇ ଏତଲା ଦେଇଛନ୍ତି। ତେବେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍, ସ୍ତ୍ରୀ ଓ ପ୍ରସୂତିକାଳୀନ ବିଭାଗ ମୁଖ୍ୟଙ୍କୁ ନେଇ ଏକ ୩ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ପଡ଼ିଲେ ଶିଶୁର ଡିଏନ୍ଏ ଟେଷ୍ଟ ମଧ୍ୟ କରାଯିବ ବୋଲି ନିର୍ଦ୍ଦେଶକ ସାହୁ କହିଛନ୍ତି।