ଅଳସୀ ଚାଷ :ବଜାରୀକରଣ ବ୍ୟବସ୍ଥା ନଥିବାରୁ ଅର୍ଥକରୀ ଫସଲ ଚାଷ ବନ୍ଦ କଲେଣି ଚାଷୀ
lack of marketing system forced Farmers to stop cultivating cash crops

କୋରାପୁଟ: ବିଶ୍ବ ବଜାରରେ ଔଷଧୀୟ ଗୁଣରେ ଭରପୂର ଅଳସୀ ର ରହିଛି ଢେର ଚାହିଦା। ଏକଦା କୋରାପୁଟ ଜିଲ୍ଲାରୁ ବାର୍ଷିକ ୧୬.୫୫ ମେଟ୍ରିକ୍ ଟନ୍ ଅଳସୀ ଉତ୍ପାଦନ ହେଉଥିଲା। ଅଳସୀ ଚାଷ ପାଇଁ ଏଠାକାର ଜଳବାୟୁ ଅନୁକୂଳ ଥିବାରୁ କୋରାପୁଟ ଜିଲ୍ଲାରେ ଢେର ଅଳସୀ ଉତ୍ପାଦନ ହେଉଥିଲା। କିନ୍ତୁ ବଜାରୀକରଣ ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନଥିବାରୁ ଅଳସୀ ଚାଷୀ କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି କରି କ୍ଷତି ସହିଲେ। ସେପଟେ ଆନ୍ଧ୍ର ବ୍ୟବସାୟୀ ଖୋଲା ବଜାରରେ ଅଳସୀକୁ ଦୁଇ ଗୁଣା ଅଧିକ ଦର କିଲୋ ପିଛା ୧୦୦ ରୁ ୧୧୦ ଟଙ୍କାରେ ବିକ୍ରି କରି ବେଶ୍ ଲାଭବାନ୍ ହେଲେ। ଅଭାବୀ ବିକ୍ରିର ଶିକାର ଚାଷୀ ଉଚିତ୍ ଲାଭ ମିଳୁନଥିବା କାରଣରୁ ଧୀରେଧୀରେ ଏହି ଚାଷ କରିବାକୁ ଆଉ ଇଛା ପ୍ରକାଶ କଲେ ନାହିଁ। ଏକଦା ଅଳସୀ ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲାରୁ ବାର୍ଷିକ ୧୬.୫୫ ମେଟ୍ରିକ୍ ଟନ୍ ଅଳସୀ ଉତ୍ପାଦନ ହେଉଥିଲା। ଉତ୍ପାଦିତ ଅଳସୀକୁ ବିକ୍ରି ପାଇଁ ଉଚିତ୍ ବଜାର କିମ୍ବା ମଣ୍ଡିର ସୁବିଧା ନଥିବାରୁ ଗତ ୧୧ ବର୍ଷ ମଧ୍ୟରେ ଉତ୍ପାଦନ ଖସି ଏବେ ୪.୯୮ ମେଟ୍ରିକ୍ ଟନରେ ପହଞ୍ଚିଲାଣି। ୨୦୧୮ ମସିହାରେ ୨୩ ହଜାର ୨୨୫ ହେକ୍ଟର ଜମିରେ ଅଳସୀ ଚାଷ ପାଇଁ ବିଭାଗ ଲକ୍ଷ୍ୟ ରଖିଥିଲା। କିନ୍ତୁ ୧୫ ହଜାର ୧୧୩ ହେକ୍ଟର ଜମିରେ ଚାଷ କରିବାରେ ସଫଳ ହୋଇଥିଲା। ୨୦୨୩ରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବିଭାଗ ୨୨ ହଜାର ୬୯୦ ହେକ୍ଟରରେ ଚାଷ ପାଇଁ ଳକ୍ଷ୍ୟ ରଖିଥିଲା। ହେଲେ ୧୫ ହଜାର ୫୨୪ ହେକ୍ଟରରେ ହିଁ ଚାଷ ସମ୍ଭବ ହୋଇଥିଲା। ଯାହାର ପ୍ରଭାବ ଉତ୍ପାଦନ ଉପରେ ପଡ଼ିଥିଲା। ଗତ ଖରିଫରେ ୧୨ଶହ ଚାଷୀଙ୍କୁ ଏକ କିଲୋ ଲେଖାଏଁ ବିହନ ମିନିକିଟ୍ ଦେଇ ପ୍ରୋତ୍ସାହିତ କରିଥିଲା ବିଭାଗ ହେଲେ ବଜାରୀକରଣ ପାଇଁ ସରକାରୀ ସ୍ତରରେ କୌଣସି ସ୍ଥାୟୀ ବ୍ୟବସ୍ଥା ନହେବା ଯାଏଁ ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଙ୍କୁ ଫେରାଇବା କଷ୍ଟକର।