ପାଗ ଥଣ୍ଡା ଯୋଗୁଁ ରାମ ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେନି ଆଡ଼ୱାଣୀ

Jan 22, 2024 - 10:09
 12
ପାଗ ଥଣ୍ଡା ଯୋଗୁଁ ରାମ ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେନି ଆଡ଼ୱାଣୀ

ଭୀଷଣ ଥଣ୍ଡା ପାଗ ଯୋଗୁଁ ବର୍ଷୀୟାନ୍‌ ବିଜେପି ନେତା ଆଜି ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନଗରୀରେ ରାମ ମନ୍ଦିର ଆନ୍ଦୋଳନରେ ସେ ଥିଲେ ପ୍ରମୁଖ ନେତା। ୯୬ ବର୍ଷ ବୟସରେ ଉପନୀତ ହୋଇଥିବା ଆଡ଼ୱାଣୀ ନିମନ୍ତ୍ରଣ ଗ୍ରହଣ କରିବା ସହିତ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବା ଲାଗି ଇଚ୍ଛୁକ ଥିଲେ।

କିନ୍ତୁ, ବୟସାଧିକ୍ୟ ଓ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହୁ ନ ଥିବା ଯୋଗୁଁ ଉଦ୍‌ଘାଟନୀ ଉତ୍ସବକୁ ନ ଯିବା ଲାଗି ତାଙ୍କୁ ଅନୁରୋଧ କରାଯାଇଥିଲା। ସେହିପରି, ଆଡ଼ୱାଣୀଙ୍କ ସହିତ ମିଶି ରାମ ମନ୍ଦିର ଆନ୍ଦୋଳନର ନେତୃତ୍ବ ନେଇଥିବା ଅନ୍ୟତମ ନେତା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଏହି ଉତ୍ସବକୁ ଆସିବାକୁ ବାରଣ କରାଯାଇଥିଲା।

ଆଗରୁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ର ସାଧାରଣ ସଚିବ ଚମ୍ପତ ରାୟ ଗଣମାଧ୍ୟମକୁ କହିଥିଲେ ଯେ, ସ୍ବାସ୍ଥ୍ୟାବସ୍ଥାକୁ ବିଚାରକୁ ନିଆଯାଇ ଉତ୍ସବରେ ଯୋଗ ନ ଦେବା ଲାଗି ଆଡ଼ୱାଣୀ ଓ ଯୋଶୀଙ୍କୁ ଅନୁରୋଧ କରାଯାଇଛି।

ସେ କହିଥିଲେ, ଉଭୟ ଆମ ପରିବାରେ ବୟୋଜ୍ୟେଷ୍ଠ। କିନ୍ତୁ, ସେମାନଙ୍କ ବୟସ ପ୍ରତି ଧ୍ୟାନ ଦିଆଯାଇ ନ ଆସିବାକୁ ଅନୁରୋଧ କରାଯାଇଥିଲା। ଏକଥା ଦୁହେଁ ସ୍ବୀକାର କରିଥିଲେ।

ଭାରତୀୟ ପାଣିପାଗ ବିଭାଗ ବୁଲେଟିନ୍‌ରୁ ଜଣାପଡ଼ିଛି ଯେ, ଅଯୋଧ୍ୟାରେ ହାଲୁକା ପବନ ସହିତ ଶୀତ ଲହରୀ ଜାରି ରହିବ। ସକାଳେ ଦୃଶ୍ୟତା ମଧ୍ୟ ୧୦୦ରୁ ୪୦୦ ମିଟର ପର୍ଯ୍ୟନ୍ତ ରହିବ। ଦିନ ବଢ଼ିଲେ ଦୃଶ୍ୟତା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କିନ୍ତୁ, ଦିନ ସାରା ପାଗ କୁହୁଡ଼ିଆ ରହିବ।