ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଆଜି ଲୋକସଭାରେ ଆଗତ ହେବ ଏଥିକ୍ସ କମିଟି ରିପୋର୍ଟ
ନୂଆଦିଲ୍ଲୀ: ଆଜି ମହୁଆ ମୋଇତ୍ରାଙ୍କ ଭାଗ୍ୟ ପରୀକ୍ଷା । ବହୁଚର୍ଚ୍ଚିତ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହେବ । ଟିଏମସି ସାଂସଦ ମୋହୁଆ ମୋଇତ୍ରାଙ୍କ ବହିଷ୍କାର ସୁପାରିଶ ସମ୍ପର୍କିତ ରିପୋର୍ଟ ଏଥିକ୍ସ କମିଟି ଉପସ୍ଥାପନ କରିବ । ଏହି ରିପୋର୍ଟ ଉପସ୍ଥାପନ ପରେ ମୌଇତ୍ରାଙ୍କ ସଂସଦ ସଦସ୍ୟତା ରବ୍ଦ ପାଇଁ ଲୋକସଭାରେ ପ୍ରସ୍ତାବ ଅଣାଯିବ । ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତାହେଲେ ତାଙ୍କର ସାଂସଦ ପଦ ରବ୍ଦ ହୋଇପାରେ । ତେଣୁ ମହୁଆ ମୋଇତ୍ରାଙ୍କ ଭାଗ୍ୟ ଆଜି ସାଥ୍ ଦେଉଛି ନା ନାହିଁ ତାହା ଉପରେ ସଭିଁଙ୍କ ନଜର ରହିଛି ।
କହିରଖୁଛୁ କି, ଏଥିକ୍ସ ବା ସଦାଚାର କମିଟିର ଏହି ରିପୋର୍ଟ ଡିସେମ୍ବର ୪ ତାରିଖରେ ଲୋକସଭାରେ ଉପସ୍ଥାପନ ହେବାର ଥିଲା । କିନ୍ତୁ ଟିଏମସି ସାଂସଦଙ୍କ ବହିଷ୍କାର ନିଷ୍ପତ୍ତି ପୂର୍ବରୁ କମିଟିର ସୁପାରିଶ ଉପରେ ନିମ୍ନ ସଦନରେ ବିସ୍ତୃତ ଚର୍ଚ୍ଚା କରିବାକୁ ବିରୋଧି ସଦସ୍ୟ ଦାବି କରିଥିଲେ । ତେଣୁ ସେଦିନ ରିପୋର୍ଟ ଆଗତ ହୋଇପାରି ନଥିଲା । ଏହାକୁ ନେଇ ଗୁରୁବାର ବିଏସପି ସାଂସଦ ଦାନିଶ ଅଲ୍ଲୀ କହିଥିଲେ ଯେ, ଯଦି ରିପୋର୍ଟ ହୋଇଛି, ତାହେଲେ ଆମେ ଏହା ଉପରେ ଚର୍ଚ୍ଚା କରିବାକୁ ଜୋର ଦେବୁ । ଏହି ଦୃଷ୍ଟିରୁ ଏଥିକ୍ସ କମିଟି ରିପୋର୍ଟକୁ ନେଇ ଆଜି ଗୃହ ବେଶ ସରଗରମ ରହିପାରେ ।