ସାମ୍ବିଧାନିକ ସ୍ବୀକୃତି ମିଳୁ ମୁଣ୍ଡାରୀ ଭାଷାକୁ : ମୁଣ୍ଡାରୀ ଭାଷା ସମନ୍ୱୟ ସମିତି

Nov 16, 2023 - 07:43
 6
ସାମ୍ବିଧାନିକ ସ୍ବୀକୃତି ମିଳୁ ମୁଣ୍ଡାରୀ ଭାଷାକୁ : ମୁଣ୍ଡାରୀ ଭାଷା ସମନ୍ୱୟ ସମିତି

ବାରିପଦା: ମୁଣ୍ଡାରୀ ଭାଷା ସମନ୍ୱୟ ସମିତି ଆହ୍ବାନ କ୍ରମେ ମହାନ ଜନନାୟକ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ବାରିପଦାରେ ବିରାଟ ମାନବ ଶୃଙ୍ଖଳ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦ ହଜାର ଆସିବାସୀ ସାମିଲ ହୋଇଥିଲେ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ଆବାହକ ବିରବଲ ସିଂହଙ୍କ ତତ୍ତ୍ବାବଧାନରେ ପ୍ରଥମେ ପୋଡ଼ାଅସ୍ତିଆସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍ଣ କରାଯିବା ସହ ପୂଜାର୍ଚ୍ଚନା କରାଯାଇ ବିଶାଳ ମାନବ ଶୃଙ୍ଖଳ ଶୋଭାଯାତ୍ରା ବାହାରିଥିଲା। ମଧୁବନରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨ କିଲୋମିଟର ଦୂର ଯାଏ ୧୦ ହଜାରରୁ ଅଧିକ ଲୋକଙ୍କ ଶୃଙ୍ଖଳ ଲମ୍ବିଥିଲା। 

ଶେଷରେ ୨୪୮ ଖଣ୍ଡ ଗାଁରୁ ପୃଥକ ଭାବରେ ଗ୍ରାମବାସୀଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ ସମିତି ଜିଲ୍ଲା ସମ୍ପାଦକ ବୁଧିଆ ସିଂ, ଅନ୍ନପୂର୍ଣ୍ଣା ସିଂ, ଶଶିଧର ସିଂ, ରାମେଶ୍ବର ସିଂ, ଅଜିତ କୁମାର ସିଂ, ଚନ୍ଦ୍ରମୋହନ ମୁଣ୍ଡାରୀ, ମୁଣ୍ଡାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଲକାନ୍ ପ୍ରଭୁଦୟାଲ ନାଗ, ମୁଣ୍ଡା ଆଦିବାସୀ ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ, ଧର୍ମପଦ ସିଂ, ମନୋରଞ୍ଜନ ସିଂ ଓ ମୟୂରଭଞ୍ଜ ଜିଲ୍ଲାର ୧୯ଟି ବ୍ଲକ୍‌ର କାର୍ଯ୍ୟକର୍ତ୍ତା, ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ସମସ୍ତ ୱାର୍ଡସଭ୍ୟ, ନାଏବ ସରପଞ୍ଚ, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷଙ୍କ ସମେତ ଲୋକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।