ଆଜି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶର ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରଣାସୀରେ ପହଞ୍ଚିବା ପରେ ମଧ୍ୟାହ୍ନ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ଷ୍ଟାଡିୟମ ତିଆରି ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୧୨୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ଷ୍ଟାଡିୟମର ନିର୍ମାଣ ପାଇଁ ବିସିସିଆଇ ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବ ।
ଏହି ଷ୍ଟାଡିୟମର ଥିମାଟିକ୍ ଆର୍କିଟେକ୍ସଚର ଭଗବାନ ଶିବଙ୍କ ଉପରେ ଆଧାରିତ । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ତ୍ରିଶୁଳ ଆକୃତିର ଫ୍ଲଡ ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା ସୁବିଧା, ବେଲ ପତ୍ର ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏହି ଷ୍ଟାଡିୟମରେ ୩୦,୦୦୦ ଦର୍ଶକ ବସିବାର କ୍ଷମତା ରହିବ । ୩୦ ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ କରାଯିବ । ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହି ସମୟ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରୀ ପରି କ୍ରିକେଟ୍ ତାରକା ମଧ୍ୟ ମଞ୍ଚରେ ଉପସ୍ଥିତ ରହି ପାରନ୍ତି ।