ଅକ୍ଟୋବର ୧୫ରେ ଓସିଏସ୍‌ ପ୍ରିଲିମ୍‌ ପରୀକ୍ଷା

Sep 26, 2023 - 10:04
 9
ଅକ୍ଟୋବର ୧୫ରେ ଓସିଏସ୍‌ ପ୍ରିଲିମ୍‌ ପରୀକ୍ଷା

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ସଭିଲ୍‌ ସର୍ଭିସ୍‌ (ଓସିଏସ୍‌) ପ୍ରିଲିମ୍‌ନାରୀ ପରୀକ୍ଷା ହେବ । ଏଥିପାଇଁ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ବାଲେଶ୍ୱର ସମେତ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଆଦି ପାଞ୍ଚଟି ଜୋନ୍‌ରେ ଏହି ପରୀକ୍ଷା କରାଯିବାକୁ ସ୍ଥିର କରାଯାଇଛି । ପରୀକ୍ଷା ଦୁଇଟି ସିଟିଂରେ କରାଯିବ । ୧୫ ତାରିଖ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ୟ୍ୟନ୍ତ ୧୦୦ ମାର୍କ ବିଶିଷ୍ଟ ଜେନେରାଲ୍‌ ଷ୍ଟଡିଜ୍‌ ପେପର-୧ ପରୀକ୍ଷା କରାଯିବ । 

ସେହିପରି ଅପରାହ୍ଣ ୧ଟା ୩୦ରୁ ଅପରାହ୍ଣ ୩ଟା ୩୦ ପର୍ୟ୍ୟନ୍ତ ୮୦ ମାର୍କ ବିଶିଷ୍ଟ ଜେନେରାଲ୍‌ ଷ୍ଟଡିଜ୍‌ ପେପର-୨ ପରୀକ୍ଷା କରାଯିବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଉଭୟ ସିଟିଂରେ ୪୦ ମିନିଟ୍‌ ଲେଖାଏଁ ଅଧିକ ସମୟ ଦିଆଯିବ । ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ସଂପର୍କରେ ପରେ ଜଣାଇ ଦିଆଯିବ ବୋଲି ସୋମବାର ଓପିଏସ୍‌ସି ପକ୍ଷରୁ କୁହାଯାଇଛି ।  
ସୂଚନାଯୋଗ୍ୟ, ଓସିଏସ୍‌-୨୦୨୨ ନିମନ୍ତେ ୨୦୨୨ ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୬୮୩ ପଦବି ପାଇଁ ୨୦୨୩ ଜାନୁଆରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବ୍ରୁଆରୀ ୧୬ ତାରିଖରେ ଶେଷ ହୋଇଥିଲା ।