ଟ୍ରେନରେ ଜରୁରୀ ଚିକିତ୍ସା ପାଇଁ ରହୁ ସ୍ବତନ୍ତ୍ର ବ୍ୟବସ୍ଥା: ପ୍ରଶାନ୍ତ ନନ୍ଦ

ନୂଆଦିଲ୍ଲୀ: ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ। ଅଧିକ ସମୟ ଧରି ଯାତ୍ରା କରୁଥିବା ଯାତ୍ରୀ ଓ ଶିଶୁଙ୍କ କ୍ଷେତ୍ରରେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଜରୁରୀ ଚିକିତ୍ସା ଅଭାବରୁ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥାଏ । ଏହି ଧରଣର ଟ୍ରେନରେ ଯାତ୍ରୀଙ୍କ ଜୀବନ ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ।
ନିଜ ଅନୁଭବରୁ ସେ କହିଛନ୍ତି ସେ ଥରେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିବାବେଳେ ଜଣେ ୩୮ ବର୍ଷ ବୟସ୍କ ଯାତ୍ରୀ ହୃଦଘାତର ସମ୍ମୁଖୀନ ହୋଇଥିଲେ । ତେବେ ସେଠାରେ ଥିବା ଜଣେ ଡାକ୍ତର ତାଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଅକ୍ସିଜେନ ଅଭାବରୁ ଯାତ୍ରୀଜଣକ ଆରପାରିକୁ ଚାଲିଯାଇଥିଲେ । କରୋନା ପରେ ଶିଶୁମାନେ ଅକ୍ସିଜେନ ସଂକଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନେବୁଲାଇଜର ସାଥୀରେ ନେଲେ ବି ତାହା କାମ ହେଉନାହିଁ । ଟ୍ରେନର ୧୧୦ ଡିସି କରେଣ୍ଟରେ ତାହା ଚାଲିନଥାଏ । କରୋନା ପରେ ସୋଡିୟମ ହ୍ରାସ ସମସ୍ୟା ବି ଦେଖାଯାଉଥିବାରୁ ସାଲାଇନର ଜରୁରୀ ଆବଶ୍ୟକତା ରହିଛି । ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ସ୍ବତନ୍ତ୍ର ମେଡିକାଲ ଭ୍ୟାନ ରହୁ । ସେଥିରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ ବୋଲି ଦାବି କରିଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ।